ଏଇ ଭାରତରେ

ପିଲାମାନଙ୍କ ମୁହଁରେ ଖୁସି ଦେବା ଲାଗି ପୂଜା ରାୟ ଏବଂ ତାଙ୍କ ସାଥୀମାନେ ପ୍ରୟାସ ଜାରି ରଖିଛନ୍ତି। ବର୍ଜ୍ୟର ପୁନଃ ଉପଯୋଗ କରି ସେମାନେ ପିଲାଙ୍କ ପାଇଁ ଖେଳପଡ଼ିଆ ନିର୍ମାଣ କରୁଛନ୍ତି। ଏହା ‘ଅନ୍ଥିଲ କ୍ରିଏଶନ’ ସଂସ୍ଥା ମାଧ୍ୟମରେ କରାଯାଉଛି। ବିଭିନ୍ନ ସ୍ଥାନରୁ ଅଦରକାରୀ ଟାୟାର, ଅଏଲ ଓ କେବଲ ଡ୍ରମ୍‌ ସଂଗ୍ରହ କରି ସେଥିରେ ଏଭଳି ଖେଳପଡ଼ିଆ କରାଯାଉଛି। ଏବେ ସୁଦ୍ଧା ପୂଜା ଓ ତାଙ୍କ ଟିମ୍‌ ୨୨ ରାଜ୍ୟରେ ୩୮୦ଟି ଖେଳପଡ଼ିଆ କରି ସାରିଲେଣି। ମୁଖ୍ୟତଃ ଏହିସବୁ ପଡ଼ିଆ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅଧିକ କରାଯାଉଛି। ସେଠାରେ ସ୍କୁଲ ପିଲାମାନଙ୍କ ପାଇଁ ଖେଳିବାର ନିୟମ ରହିଥିଲେ ବି ନିକଟରେ ଥିବା ଅନ୍ୟ ପିଲାମାନଙ୍କୁ ଅନୁମତି ଦିଆଯାଉଛି। ୨୦୧୫ରେ ପୂଜା ପ୍ରଥମ ଖେଳପଡ଼ିଆ କରିଥିଲେ ଓ ଏଥିରେ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଖେଳପଡ଼ିଆ ହୋଇଗଲା ପରେ ସମୟ ବ୍ୟବଧାନରେ ଯାଞ୍ଚ କରାଯାଇ ସେଗୁଡ଼ିକର ସୁରକ୍ଷା ନିଶ୍ଚିତ କରାଯାଉଛି। ପୂଜା ଆଇଆଇଟି, ଖଡଗପୁରରେ ଆର୍କିଟେକ୍‌ଚରରେ ପଢ଼ା ଶେଷ କରି ଚାକିରି କରିଥିଲେ। କିନ୍ତୁ ତାହାକୁ ଛାଡ଼ି ପିଲାମାନଙ୍କ ଖେଳ ପାଇଁ ସବୁ ସମୟ ଲଗାଇ ଦେଇଛନ୍ତି।