ଏଇ ଭାରତରେ

ଚୋର ଘରୁ ଚୋରି କରିବାକୁ ଯାଇ କିଛି ନ ପାଇ ବହୁସମୟରେ ଗୃହକର୍ତ୍ତାଙ୍କୁ ଆକ୍ରମଣ କରନ୍ତି, ଏପରି କି ସେମାନଙ୍କ ଜୀବନ ବି ନେଇଯାଆନ୍ତି। କିନ୍ତୁ କେତେଜଣ ଚୋର ଘରୁ କିଛି ନ ପାଇ ଶେଷରେ ଗୃହସ୍ବାମୀଙ୍କ ଉଦ୍ଦେଶ୍ୟରେ ଟଙ୍କା ଦେଇଯିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ରୋହିଣୀର ସେକ୍ଟର ୮ରେ ଘଟିଛି ଏହି ଘଟଣା। ସେଠାରେ ଚୋରମାନେ ଏକ ଘରେ ପ୍ରବେଶ କରି ନଗଦ ଟଙ୍କା କିମ୍ବା ଅଳଙ୍କାର ସାମଗ୍ରୀ ପାଇଲେ ନାହିଁ। ଏପରି କି ମୋବାଇଲ ଏବଂ ଲାପ୍‌ଟପ ଖୋଜିଲେ ବି ତାଙ୍କ ଆଖିରେ ପଡ଼ିଲାନାହିଁ। ପରେ ଚୋରମାନେ ବିରକ୍ତ ହୋଇ ଘରର ଦ୍ୱାରମୁହଁରେ ୫ ଶହ ଟଙ୍କିଆ ନୋଟ ରଖିଦେଇଗଲେ। ଚୋରମାନଙ୍କର ଏହି କାର୍ଯ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଘରର ମାଲିକ ମଧ୍ୟ ନିଶ୍ଚିତ କରିଛନ୍ତି ତାଙ୍କ ଘରୁ କିଛି ଚୋରି ହୋଇ ନାହିଁ। ସରକାରୀ ଚାକିରିରୁ ଅବସର ନେଇଥିବା ଜଣେ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀର ରୋହିଣୀରେ ରହୁଛନ୍ତି। ସେମାନେ ଘରେ ନ ଥିବା ବେଳେ ଚୋରମାନେ ପଶିଥିଲେ। ଏହିପରି ଆଉ ଏକ ଘଟଣା ଦିଲ୍ଲୀରେ ପୂର୍ବରୁ ଘଟିସାରିଛି। ଜୁନ୍‌ରେ ଶାହାଦରା ଅଞ୍ଚଳରେ ଏକ ଦମ୍ପତିଙ୍କ ଘରୁ ଚୋରି କରିବା ସମୟରେ ତାଙ୍କଠାରୁ ମାତ୍ର ୨୦ ଟଙ୍କା ମିଳିଥିଲା। ପରେ ଚୋରମାନେ ସେମାନଙ୍କୁ ୧୦୦ ଟଙ୍କା ଦେଇଥିଲେ।