ଏଇ ଭାରତରେ

ଉତ୍ତରପ୍ରଦେଶ ସୋନଭଦ୍ରର ଦ୍ୱାଦଶ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରେଶ କୁମାର। ସେ ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲ୍‌ମେଟ, ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ହେଲ୍‌ମେଟର ବିଶେଷତ୍ୱ ହେଉଛି ତାହାକୁ ଚାଳକ ନ ପିନ୍ଧିବା ପର୍ଯ୍ୟନ୍ତ ବାଇକ ଷ୍ଟାର୍ଟ ହେବ ନାହିଁ। ଏଥିସହ ଯଦି ବାଇକ ଚଳାଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି ତେବେ ଦୁର୍ଗନ୍ଧ ଯୋଗୁ ବି ବାଇକ ଷ୍ଟାର୍ଟ ହେବ ନାହିଁ। ଇନ୍ଦ୍ରେଶ କୁହନ୍ତି, ଏହି ହେଲ୍‌ମେଟ ପିନ୍ଧିବା କାରଣରୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ଓ ମଦ୍ୟପାନ କମ୍‌ ହୋଇପାରିବ। ଇନ୍ଦ୍ରେଶ କୁମାର ସୋନଭଦ୍ରର ରୋବର୍ଟସଗଞ୍ଜ ବ୍ଲକ ମଧୁପୁର ଗାଁର ବାସିନ୍ଦା। ସେ ସୋନଭଦ୍ରର ଚୁରକ ଜୟ ଜ୍ୟୋତି ଇଣ୍ଟର କଲେଜର ଛାତ୍ର। ସେ ଚାଲିବାକୁ ଅସମର୍ଥ। ତାଙ୍କ ଗୋଡରେ ୫୦ ପ୍ରତିଶତ ଅକ୍ଷମତା ଅଛି। ଏହା ସତ୍ତ୍ୱେ ସେ ଏପରି ହେଲ୍‌ମେଟ ଉଦ୍ଭାବନ କରିଥିବାରୁ ଉତ୍ତରପ୍ରଦେଶ ପରିବହନ ମନ୍ତ୍ରୀ ଦିନଶଙ୍କର ସିଂ ତାଙ୍କୁ ସମ୍ମାନିତ କରିବା ସହ ୫୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିଛନ୍ତି। ଇନ୍ଦ୍ରେଶ କୁମାର ବର୍ତ୍ତମାନ ତାଙ୍କ ଉଦ୍ଭାବନକୁ ପେଟେଣ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମଦ୍ୟପାନ କରି ବାଇକରୁ ଖସିପଡ଼ି ତାଙ୍କ ପିତା ଆହତ ହେବା ପରେ ଏଭଳି ହେଲ୍‌ମେଟ ତିଆରି କରିବାର କଳ୍ପନା ତାଙ୍କ ମନରେ ଆସିଥିଲା। ପରେ ବହୁ ଗବେଷଣା କରି ସେ ଏହାକୁ ତିଆରି କରିଛନ୍ତି।