ଏଇ ଭାରତରେ

କାଫେରୁ ଯାହା ଲାଭ ହେଉଛି ସେଥିରେ ଏକ ଗାଁ ସ୍କୁଲ ଚଳାଉଛନ୍ତି ଲୋରି ଚୌହାନ। ସେ ପିଏଚ୍‌ଡି କରୁଥିବା ସମୟରେ ଉତ୍ତରାଖଣ୍ଡର ବିଭିନ୍ନ ଗାଁକୁ ଯିବାବେଳେ ସେଠାକାର ପିଲାମାନଙ୍କ ଶୈକ୍ଷିକ ଅବ୍ୟବସ୍ଥାକୁ ଉପଲବ୍ଧି କରିଥିଲେ। ଏଣୁ ଲୋରି ଏବଂ ତାଙ୍କ ସ୍ବାମୀ କୁନ୍‌ଓ୍ବାର ଗଡ଼ଓ୍ବାଲରେ ଏକ ଇଂଲିଶ ମାଧ୍ୟମ ସ୍କୁଲ ପ୍ରତିଷ୍ଠା କରି ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେମାନେ ଏକ କାଫେରୁ ଯାହା ଲାଭ ପାଉଛନ୍ତି ସେଥିରେ ପିଲାମାନଙ୍କ ପଢ଼ା ଖର୍ଚ୍ଚଠାରୁ ଆରମ୍ଭ କରି ସବୁକିଛି ଭରଣା କରୁଛନ୍ତି। ଉତ୍ତରାଖଣ୍ଡର କେମ୍ପ୍‌ଟି ଜଳପ୍ରପାତଠାରୁ ୫ କିମି ଦୂର ପର୍ଯ୍ୟଟନସ୍ଥଳ ସେନ୍‌ଜି ଗାଁରେ ଏହି ସ୍କୁଲ ଓ କାଫେ ଅଛି। ଏହି ଗାଁରେ ସେମାନେ ସ୍କୁଲ ପ୍ରତିଷ୍ଠା କରିବାର ଏକ କାରଣ ଅଛି। ବାସ୍ତବରେ ଲୋରିଙ୍କ ଜନ୍ମ କାନାଡାରେ। ଭାରତରେ ପିଏଚ୍‌ଡି କରିବା ପରେ ସେନ୍‌ଜି ଗାଁକୁ ଯିବା ଅବସରରେ ତାଙ୍କର କୁନ୍‌ଓ୍ବାରଙ୍କ ସହ ଦେଖା ହୋଇଥିଲା। କୁନ୍‌ଓ୍ବାର ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରି ଗ୍ରାମୀଣ ପିଲାମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ଏଣୁ ଦୁହିଁଙ୍କ ଲକ୍ଷ୍ୟ ସମାନ ଥିଲା ଓ ପରେ ସେମାନେ ପରସ୍ପରକୁ ୨୦୦୭ରେ ବିବାହ କରିବା ପରେ ସ୍କୁଲ ପ୍ରତିଷ୍ଠା କରିଥିଲେ। ପ୍ରଥମେ ସ୍କୁଲରେ ୮ ଜଣ ଛାତ୍ର ଥିଲେ, ଏବେ ସେଠାରେ ୨୫ଟି ପାହାଡିଆ ଗାଁର ୧୨୫ ପିଲା ରହୁଛନ୍ତି ଓ ପଢୁଛନ୍ତି। ସ୍କୁଲରେ ଏବେ ୧୩ ଶିକ୍ଷକ ଅଛନ୍ତି।