ଏଇ ଭାରତରେ

ମୁକ୍ତ ଜୀବନର ମୂଲ୍ୟ ବୁଝିଛନ୍ତି ଉତ୍ତରପ୍ରଦେଶର କନ୍‌ଷ୍ଟେବଲ ସୁରେଶ ସବ୍‌ଲୋକ। ସେ ବିକ୍ରି କରାଯାଉଥିବା ପିଞ୍ଜରାବଦ୍ଧ ପକ୍ଷୀଙ୍କୁ ଖୋଲା ଆକାଶରେ ଛାଡ଼ି ସେମାନଙ୍କୁ ମୁକ୍ତିର ଆନନ୍ଦ ଦେଉଛନ୍ତି। ଏହା ସହିତ ଭୋକିଲା ଏବଂ ତୃଷାର୍ତ୍ତ ପ୍ରାଣୀମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରୁଛନ୍ତି। ସୁରେଶ ସବ୍‌ଲୋକ ସିଟି କୋଟୱାଲୀ ଅଞ୍ଚଳରେ ନିଯୁକ୍ତ ହୋଇଛନ୍ତି। ବଜାରରେ ବିକ୍ରି ହେଉଥିବା ପକ୍ଷୀଙ୍କୁ ସେ ତାଙ୍କ ଦରମା ଟଙ୍କାରେ କିଣନ୍ତି। ଏବେସଦ୍ଧା ସେ ପ୍ରାୟ ୧୦୦୦ ପକ୍ଷୀଙ୍କୁ କିଣି ମୁକ୍ତ କରିସାରିଲେଣି। ଲୋକଙ୍କଠାରୁ ପକ୍ଷୀ ବିକ୍ରି ହେଉଥିବା ଜାଗା ସମ୍ପର୍କରେ ସୂଚନା ପାଇବା କ୍ଷଣି ସେହି ସ୍ଥାନରେ ପହଞ୍ଚତ୍ ପକ୍ଷୀ କିଣନ୍ତି ଏବଂ ସେମାନଙ୍କୁ ମୁକ୍ତ କରନ୍ତି।
ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏସ୍‌ପି ରାଜେଶ ଦ୍ୱିବେଦୀ କନ୍‌ଷ୍ଟେବଲ ସୁରେଶଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ତାଙ୍କୁ ସମ୍ମାନିତ କରିଛନ୍ତି। ପିଲାଦିନେ ସେ ଭୋକିଲା ପ୍ରାଣୀ ଦେଖିଲେ ସେମାନଙ୍କୁ ଯଥା ସମ୍ଭବ ଖାଇବାକୁ ଦେଉଥିଲେ। ଯେତେବେଳେ ସେ ଚାକିରି ପାଇଲେ, ସେତେବେଳେ ସେ ଏହି କାର୍ଯ୍ୟ ଜାରି ରଖିଲେ।