ଏଇ ଭାରତରେ

ଅବସର ପରେ ପ୍ରକୃତି ସେବାରେ ବ୍ରତୀ ଗୁଜରାଟର ଏକ ଦମ୍ପତିଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ରାଙ୍ଖେଶ୍ୱରର ଧନୋରା ଗାଁରେ ରହୁଥିବା ଏହି ଦମ୍ପତି ହେଲେ ଦିନେଶ ଚନ୍ଦ୍ର ଓ ଦେବିନ୍ଦ୍ରା ଠାକୁର। ଉଭୟ ଏବେସୁଦ୍ଧା ତାଙ୍କ ଗାଁରେ ଛୋଟ ବଡ଼ ୧୦ଟି ଜଙ୍ଗଲରେ ୨୦୦ କିସମର ୬୦୦୦ ଗଛ ଲଗାଇ ବଢ଼ାଇପାରିଛନ୍ତି। ଏହି ଜଙ୍ଗଲ ଅନେକ ହଜାର ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ଦିନେଶ ଓ ଦେବିନ୍ଦ୍ରା ଉଭୟ ଶିକ୍ଷକ ଥିଲେ ଓ ଅବସର ପରେ ୨୫ ବର୍ଷ ଧରି ଜଙ୍ଗଲ ସୃଷ୍ଟି କରିବାରେ ବିତାଇସାରିଲେଣି। ପ୍ରଥମେ ସେମାନେ ୩ ଏକର ଜମି କିଣି ଗଛ ଲଗାଇବା ଆରମ୍ଭ କରିଥିଲେ। ସେହି ଜମିରେ ଏକ ଝାଟିମାଟି ଘର କରି ଗଛର ରକ୍ଷଣାବେକ୍ଷଣ କରିଥିଲେ। ସେଥିରେ ସଫଳ ହେବା ପରେ ସେମାନେ ଏବେସୁଦ୍ଧା ୧୦ଟି ଜଙ୍ଗଲ କରିସାରିଲେଣି। ଜଙ୍ଗଲରେ ରହୁଥିବା ପକ୍ଷୀମାନଙ୍କୁ ପ୍ରତିଦିନ ୧୦୦ କେ.ଜି. ଶସ୍ୟ ଖାଇବାକୁ ଦେଉଛନ୍ତି। ପକ୍ଷୀମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏବାବଦରେ ସବୁ ଖର୍ଚ୍ଚ ସେମାନେ ନିଜ ପକେଟରୁ କରୁଛନ୍ତି।