ଏଇ ଭାରତରେ

ମାତ୍ର ୩ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ପରେ ଦତ୍ତୁ ଅଗ୍ରଓ୍ବାଲ ଦୁନିଆକୁ ଦେଖିବାରୁ ବଞ୍ଚିତ ହୋଇଥିଲେ। ପରେ ସେ ଉଚ୍ଚଶିକ୍ଷା ଲାଭ କରି ୭୫ ଜଣ ଦୃଷ୍ଟିବାଧିତ ଝିଅଙ୍କୁ ଶିକ୍ଷା ଓ ଆଶ୍ରୟ ଦେଇ ସଶକ୍ତ କରିବାରେ ଲାଗିଛନ୍ତି। ଦତ୍ତୁଙ୍କ ବୟସ ଏବେ ୬୦। ସେ କର୍ନାଟକର କାଲାବୁର୍ଗିରେ ମାତୋଶ୍ରୀ ଅମ୍ବୁବାଇ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାକରି ଏହି କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କ ମା’ଙ୍କ ନାମରେ ଏହି ସ୍କୁଲ କରାଯାଇଛି। ସେଠାରେ ଥିବା ସମସ୍ତ ଝିଅଙ୍କୁ ମାଗଣାରେ ପୋଷାକ ଯୋଗାଇବା ସହ ବିନା ଦେୟରେ ପଢ଼ାଉଛନ୍ତି। ଦତ୍ତୁଙ୍କ ଜୀବନ ସଂଘର୍ଷମୟ ଥିଲା। ସେ ଦୃଷ୍ଟି ଶକ୍ତି ହରାଇବା ପରେ ବ୍ଲାଇଣ୍ଡ ସ୍କୁଲରେ ପଢ଼ିଥିଲେ ଓ ପରେ ଗୁଲବର୍ଗା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପଢ଼ା ଶେଷ କରି ସେଠାରେ ୩୫ ବର୍ଷ ଧରି ରାଜନୀତି ବିଜ୍ଞାନ ପଢ଼ାଇଥିଲେ। ଅବସର ନେବା ପରେ ଏବେ ସେ ଏହି ସ୍କୁଲ ଚଳାଉଛନ୍ତି। ପ୍ରାରମ୍ଭିକ ସ୍ତରରେ ସ୍କୁଲରେ ୪ ଜଣ ଝିଅ ଥିଲେ ଓ ଏବେ ତାହା ବୃଦ୍ଧି ପାଇ ୬ଟି ଜିଲାରୁ ୭୫ ଜଣ ଏଠାରେ ପଢୁଛନ୍ତି। ସେମାନଙ୍କୁ କର୍ନାଟକ ବୋର୍ଡ ପାଠ୍ୟକ୍ରମ ଅନୁଯାୟୀ ପଢ଼ାଯାଉଛି ଓ ମ୍ୟୁଜିକ ଶିକ୍ଷା ମଧ୍ୟ ଦିଆଯାଉଛି। କେବଳ ଏତିକି ନୁହେଁ ଦତ୍ତୁ ବଧିର ଝିଅମାନଙ୍କ ପାଇଁ ମଧ୍ୟ ଏକ ଆବାସିକ ସ୍କୁଲ କରିଛନ୍ତି।