ଏଇ ଭାରତରେ

ନିଖୋଜ ପିଲାମାନଙ୍କୁ ଖୋଜି ଆଣି ସେମାନଙ୍କ ମାତାପିତାଙ୍କୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ମୁସ୍କାନ ଅଭିଯାନ ଚଳାଇ ସେ ଏହି କାର୍ଯ୍ୟ କରୁଛନ୍ତି। ମୁଖ୍ୟତଃ ବାରାଣସୀ ଘାଟ, ରେଲ୍‌ଓ୍ବେ ଷ୍ଟେଶନ ଏବଂ ମନ୍ଦିରଗୁଡ଼ିକରେ ଭିକ ମାଗୁଥିବା ପିଲାମାନଙ୍କୁ ଉଦ୍ଧାର କରି ଭାରତର ଯେକୌଣସି ସ୍ଥାନରେ ଥିବା ସେମାନଙ୍କ ମାତାପିତାଙ୍କ ପାଖରେ ପହଞ୍ଚାଇ ଦିଆଯାଉଛି। ଏବେସୁଦ୍ଧା ଏଭଳି ୭୩୦ ପିଲାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ ବାରାଣସୀର ଚିଫ୍‌ ଡେଭଲପମେଣ୍ଟ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ବାରାଣସୀର ବିଭିନ୍ନ ଜାଗାରେ ଭିକ୍ଷା ମାଗୁଥିବା ପିଲାମାନେ ତେଲଙ୍ଗାନା, କର୍ନାଟକ, ଆସାମ ଓ ପଡୋଶୀ ଦେଶ ନେପାଳର ବୋଲି ସେ ଜାଣିବାକୁ ପାଇଥିଲେ। ପରେ ଶିଶୁ ବିକାଶ ଓ ସାମାଜିକ କଲ୍ୟାଣ ବିଭାଗ ଏବଂ ପୋଲିସର ୬୦ ଜଣ ଅଧିକାରୀଙ୍କୁ ନେଇ ଏକ ୧୨ ଜଣିଆ ଟିମ୍‌ ଗଠନ କରି ଏଭଳି ପିଲାମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲେ। ଉଦ୍ଧାର କରାଯାଉଥିବା ପିଲାଙ୍କ ପରିବାରକୁ ହସ୍ତାନ୍ତର ନ କରିବା ଯାଏ ସେମାନଙ୍କୁ ଓ୍ବେଲ୍‌ଫେୟାର ସେଲ୍‌ଟରରେ ରଖାଯାଉଛି। ଯେଉଁମାନଙ୍କ ଠିକଣା ନ ମିଳୁଛିି ସେଠାରେ ସେମାନଙ୍କୁ ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି।