ଏଇ ଭାରତରେ

କୌଣସି ମା’ ପାଇଁ ନିଜ ପିଲାମାନଙ୍କଠାରୁ ବଡ଼ କିଛି ନାହିଁ। ମା’ ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଜୀବନ ସହ ବାଜି ଲଗାଇଦେଇଥାନ୍ତି। ଜଣେ ମା’ ନିଜ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ପ୍ରେମ ଆଚରଣ ପ୍ରଦର୍ଶନ କରିବା ସହିତ ସଙ୍କଟ ସମୟରେ ନିଜ ଜୀବନକୁ ତୁଚ୍ଛ ମଣିଥାନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରର ସାର୍ହସାରେ। ଏହି ମା’ ଜଣକ ହେଉଛନ୍ତି ମୁନ୍ନି ଖାତୁନ। ଗୁଣ୍ଡାମାନେ ମୁନ୍ନି ଖାତୁନଙ୍କ ଦୁଇ ମହଲା ଘରେ ପଶି ତାଙ୍କ ପୁଅକୁ ଟାଣି ନେଇ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ସେ ଏହା ଦେଖି ତତ୍‌କ୍ଷଣାତ ନିଜ ଜୀବନକୁ ପାଣିଛଡ଼ାଇ ପୁଅକୁ ରକ୍ଷା କରିବା ପାଇଁ ଲଢ଼ିବା ଆରମ୍ଭ କରିଥିଲେ। ସେ ନିଜ ଓଢ଼ଣିରେ ଫାଶ ତିଆରି କରି ଗୁଣ୍ଡାଙ୍କଠାରୁ ପିସ୍ତଲ ମଧ୍ୟ ଛଡ଼ାଇ ନେଇଥିଲେ। ମା’ ଜଣକ ଗୁଣ୍ଡାମାନଙ୍କ ସହିତ ଦୁର୍ଗା ଭଳି ଲଢ଼େଇ କରି ପୁଅକୁ ବଞ୍ଚାଇବାରେ ସଫଳ ହୋଇଥିଲେ। କେବଳ ସେତିକି ନୁହେଁ, ପଳାୟନ କରୁଥିବା ଗୁଣ୍ଡାଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଧରିନେଇଥିଲେ। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ଲୋକେ ଏବଂ ପ୍ରଶାସନ ମୁନ୍ନିଙ୍କ ସାହସକୁ ପ୍ରଶଂସା କରିବାରେ ଲାଗିଛନ୍ତି।