ଏଇ ଭାରତରେ

ରାଜସ୍ଥାନର ରାଜେଶ ଓଝା କୃଷି ଉତ୍ପାଦ ପ୍ରସ୍ତୁତ କରି ୧୨୦୦ ମହିଳାଙ୍କୁ ରୋଜଗାର ଦେବା କିଛି କମ୍‌ କଥା ନୁହେଁ। ଦ୍ୱାଦଶ ପାସ୍‌ କରି ରୋଜଗାର ପାଇଁ ମୁମ୍ବାଇ ଯାଇଥିଲେ ରାଜସ୍ଥାନର ରାଜେଶ । ସେଠାରେ ୧୬-୧୭ ବର୍ଷ କାମ କରିବା ପରେ ଉଚିତ ପାରିଶ୍ରମିକ ନ ପାଇ ପୁଣି ଗାଁକୁ ଫେରି ନିଜେ କୃଷିଜାତ ଉତ୍ପାଦର ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ ଉଦୟପୁରର ଗୋଗୁନ୍ଦାଓ କୋଟରା ଅଞ୍ଚଳର ୧୨୦୦ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ରାଜେଶଙ୍କ ଘର ପାଲି ଜିଲା ବେଡା ଗାଁରେ। ସେ ଜୋବାକି ଆଗ୍ରୋଫୁଡ୍‌ ନାମକ ସୋସିଆଲ ଏଣ୍ଟରପ୍ରାଇଜ ଚଲାଇ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି। ପ୍ରତି ଗାଁରେ ଜୋବାକିର କେନ୍ଦ୍ର ଖୋଲିଛନ୍ତି ରାଜେଶ। ଏହାଦ୍ୱାରା ଆଦିବାସୀ ମହିଳାମାନେ ସେହି କେନ୍ଦ୍ରରେ ସେମାନଙ୍କ ଦ୍ୱାରା ସଂଗୃହୀତ କିମ୍ବା ଉତ୍ପାଦିତ ଫଳ ଆଣି ଦେଉଛନ୍ତି। ସେଠାରେ କେବଳ ସେମାନେ ଫଳ ଆଣି ଦେଉଛନ୍ତି ତାହା ନୁହେଁ, ତାହାକୁ ପ୍ରୋସେସିଂ କରୁଛନ୍ତି। ଜୋବାକି ଏହି ପ୍ରୋସେସିଂ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଛି। ମୁଖ୍ୟତଃ ଆତ ଓ ଜାମୁରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ସେ ଏହି ସୋସିଆଲ ଏଣ୍ଟରପ୍ରାଇଜ ଜରିଆରେ ଉତ୍ପାଦଗୁଡ଼ିକୁ ବିକ୍ରିକରି ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ପ୍ରଥମରୁ ଯେଉଁ ଆଦିବାସୀ ମହିଳାମାନେ ବହୁ କଷ୍ଟରେ ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରୁ ନ ଥିଲେ ସେମାନେ ଏବେ ତାହାଠାରୁ ୩ ଗୁଣ ଅଧିକ ରୋଜଗାର କରୁଛନ୍ତି।