ଏଇ ଭାରତରେ

ତେଲଙ୍ଗାନା ପେଡ୍ଡାପଲ୍ଲୀ ଜିଲାପାଳଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଜିଲା ଡେଙ୍ଗୁ ମୁକ୍ତ ହେବା ସହ ଦେଶରେ ସ୍ବଚ୍ଛ ଜିଲାର ପରିଚୟ ଲାଭ କରିପାରିଛି। ଜିଲାପାଳ ଏ. ଦେବସେନା ଜିଲାର ୨୫୦ଟି ଗାଁରେ ଡ୍ରେନ୍‌ ବ୍ୟବସ୍ଥା କରିବା ସହ ବାହାରେ ମଳ ତ୍ୟାଗକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିଛନ୍ତି। ଗାଁଗୁଡ଼ିକରେ ସ୍ବଚ୍ଛତା ପରିଚାଳନା ଓ ସଚେତନତା ସୃଷ୍ଟି କରିବାକୁ ସେ ‘ସ୍ବଚ୍ଛଗ୍ରାହୀ’ କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦୦ ମହିଳାଙ୍କୁ ସାମିଲ କରିଛନ୍ତି। ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ଯୋଡ଼ିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକେ ଚାଲିବା କିମ୍ବା ଜଗିଂ ସମୟରେ ବର୍ଜ୍ୟ ଗୋଟାଉଛନ୍ତି ଏବଂ ବୃକ୍ଷରୋପଣ କରୁଛନ୍ତି। ପ୍ରାୟ ପ୍ରତ୍ୟେକଟି ପରିବାରରେ ସକ୍‌ପିଟ୍‌ ନିର୍ମାଣ କରାଯାଇଛି। ସକ୍‌ପିଟ୍‌ କରାଯିବା ଦ୍ୱାରା ଗୋଟିଏ ବର୍ଷରେ ଡେଙ୍ଗୁ ପ୍ରବଣ ଅଞ୍ଚଳରେ ପାଖାପାଖି ୮୫% କେସ୍‌ ହ୍ରାସ ପାଇଛି। ପ୍ରତିଟି ପରିବାରକୁ ଓଦା, କାଚ, ଧାତୁ, ପ୍ଲାଷ୍ଟିକ୍‌ ଓ କାଗଜ ବର୍ଜ୍ୟ ଅଲଗା ରଖିବାକୁ ପରାମର୍ଶ ଦିଆଯାଇଛି ଓ ସେମାନେ ତାହା ପାଳନ କରୁଛନ୍ତି। ପରିବାରଗୁଡ଼ିକ କିଚେନ୍‌ ଗାର୍ଡେନ ପାଇଁ ବର୍ଜ୍ୟରୁ ଖତ ପ୍ରସ୍ତୁତ କରୁଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର କମାଇବା ଲାଗି ମହିଳାମାନେ ଝୋଟ ଓ କାଗଜ ବ୍ୟାଗ ତିଆରି କରୁଛନ୍ତି। ସେମାନେ ପରିବେଶ ଉପଯୋଗୀ ସାନିଟାରି ପ୍ୟାଡ୍‌ ତିଆରି କରି ମହିଳାଙ୍କୁ ୨.୫୦ ଟଙ୍କାରେ ବିକ୍ରି କରୁଛନ୍ତି।