ଏଇ ଭାରତରେ

ହାଇଦ୍ରାବାଦର ୫ ଜଣ ସାଥୀ ବର୍ଜ୍ୟ ମାର୍କେଟିଂ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିପାରିଛନ୍ତି। ସେମାନେ ବର୍ଜ୍ୟ ସଂଗ୍ରହକାରୀ ଓ ଡିଲରମାନଙ୍କୁ ଅଧିକ ଲାଭ ପାଇବାର ବାଟ ଦେଖାଇଛନ୍ତି। ଦେଶପାଣ୍ଡେ ଓ ତାଙ୍କ ସାଥୀ ପୂର୍ବରୁ ଚାଲିଆସିଥିବା ଅନୌପଚାରିକ ବର୍ଜ୍ୟ ଯୋଗାଣ ଶୃଙ୍ଖଳକୁ ଭାଙ୍ଗି ଏକ ନୂଆ ପଦ୍ଧତି ସାମ୍ନାକୁ ଆଣିଛନ୍ତି। ହାଇଦ୍ରାବାଦ ବାସିନ୍ଦା ଅଭୟ ଦେଶପାଣ୍ଡେ ଅନ୍‌ଲାଇନ ରିସାଇକେଲ ମାର୍କେଟପ୍ଲେସ୍‌ ଆରମ୍ଭ କରି ଏହି କାର୍ଯ୍ୟ କରୁଛନ୍ତି। ଫଳରେ ବର୍ଜ୍ୟ ସଂଗ୍ରହକାରୀ ଓ ଡିଲରମାନେ ସିଧାସଳଖ ରିସାଇକେଲ କେନ୍ଦ୍ରକୁ ପଠାଇପାରୁଛନ୍ତି। ୨୦୧୬ରେ ସେ ଏହି ଅନ୍‌ଲାଇନ ମାର୍କେଟ ବ୍ୟବସ୍ଥା ଆରମ୍ଭ କରିଥିଲେ। ପରେ ତାଙ୍କ ସହ ସାମିଲ ହୋଇଛନ୍ତି ବିକ୍ରମ ପ୍ରଭାକର, ଅଭିଷେକ ଦେଶପାଣ୍ଡେ, ଅନିରୁଦ୍ଧ ଜଲାନ ଏବଂ ଏକତା ନରିନ। ପାଞ୍ଚଜଣଙ୍କ ଦ୍ୱାରା ପରିଚାଳିତ ଏହି ଅନ୍‌ଲାଇନ ମାର୍କେଟରେ ଏବେ ସୁଦ୍ଧା ଦେଶରେ ୪,୦୦୦ କବାଡିବାଲା ଯୋଡ଼ି ହୋଇଛନ୍ତି। ସେମାନେ ରିସାଇକେଲର୍‌ଙ୍କ ସହ ଯୋଗାଯୋଗ କରି ଭଲ ଲାଭ ପାଉଛନ୍ତି। ସେମାନଙ୍କ ଆୟ ଏବେ ପୂର୍ବାପେକ୍ଷା ୩୬% ଅଧିକ ହୋଇଛି। ଏପରି କି ଜଣେ ବର୍ଜ୍ୟ ଡିଲର ରିସାଇକେଲ ଆପ୍‌ ମାଧ୍ୟମରେ ମାସକୁ ୧୫୦-୨୦୦ ଟନ ବର୍ଜ୍ୟ ବିକ୍ରି କରିପାରୁଛନ୍ତି।