ଏଇ ଭାରତରେ

ବୁକ୍‌ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ହରିୟାଣାରେ। ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ପଢିବାରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରୁଛି। ଏହି ବୁକ୍‌ ବ୍ୟାଙ୍କ ଠିକ୍‌ ସମୟରେ ପିଲାମାନଙ୍କୁ ବହି ଯୋଗାଇଦେଉଛି। ସିରସାର ଶ୍ରୀଗୋଶାଳାରେ ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ୨୫ ଜୁଲାଇ ୨୦୨୧ରେ ପ୍ରତିଷ୍ଠା କରାଯାଇଥିଲା। କେବଳ ୧୦୦ ପୁସ୍ତକରୁ ଆରମ୍ଭ ହୋଇଥିବା ଏହି ବୁକ୍‌ ବ୍ୟାଙ୍କରେ ଏବେ ୯ମରୁ ଦ୍ୱାଦଶ ଏବଂ ସ୍ନାତକୋତ୍ତର ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ୧୦ ହଜାରରୁ ଅଧିକ ପୁସ୍ତକ ଅଛି। ଟ୍ରଷ୍ଟର ସଦସ୍ୟମାନଙ୍କର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରୀଛାତ୍ରମାନେ ଯେଭଳି ପୁସ୍ତକ ଅଭାବରୁ ସେମାନଙ୍କ ପଢ଼ା ବନ୍ଦ ନ କରିବେ। ଏହି ବୁକ୍‌ ବ୍ୟାଙ୍କରେ ୧୫ ଜଣ ସଦସ୍ୟ ଅଛନ୍ତି। କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ସହ ଜଡିତ ଶିକ୍ଷକ ଓ କେତେଜଣ ସାମାଜିକ କର୍ମୀ ଏହି ବ୍ୟାଙ୍କ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଏନେଇ ସହଯୋଗ କରିଥିଲେ। ବୁକ୍‌ ବ୍ୟାଙ୍କ ସଭାପତି ଗୁରୁଦୀପ ସାଇନି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀର ୭୦୦ ପିଲାଙ୍କୁ ମାଗଣା ପୁସ୍ତକ ବଣ୍ଟନ କରାଯାଇଛି। ବହି ଦେବା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ିଥାଏ। ଯେଉଁଥିରେ ବହିଗୁଡ଼ିକୁ ଭଲ ସ୍ଥିତିରେ ରଖିବା ଏବଂ ପରୀକ୍ଷା ପରେ ଫେରସ୍ତ କରିବାକୁ କୁହାଯାଇଥାଏ।