Categories: ଜାତୀୟ

ଗାଁରେ ନାହିଁ ବ୍ରିଜ୍‌: କାନ୍ଧରେ ବୋହି ପିଲାଙ୍କୁ ସ୍କୁଲ୍‌ ଛାଡୁଛନ୍ତି ଅଭିଭାବକ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୫।୮: ସରକାର ଯାତାୟାତକୁ ସହଜ କରିବା ପାଇଁ ରାଜପଥ, ଟନେଲ ଏବଂ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି। ହେଲେ ମହାରାଷ୍ଟ୍ରର ନାଶିକ ଜିଲାର ପେଥ୍‌ ତାଲୁକା ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ପାଇଁ ଯାତାୟାତ ସୁବିଧା ନ ଥିବାରୁ ବିପଦଜନକ ଅବସ୍ଥାରେ ନଦୀ ପାର୍‌ ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରିକି ଅଭିଭାବକ ନିଜ ପିଲାଙ୍କୁ ପ୍ରତିଦିନ କାନ୍ଧରେ ବୋହି ନଦୀ ପାର କରି ସ୍କୁଲ୍‌କୁ ନେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ନଦୀ ପାର୍‌ ହେବା ପାଇଁ କୌଣସି ବ୍ରିଜ୍‌ ନ ଥିବାରୁ ପିଲାମାନେ ସ୍କୁଲ୍‌ ଯିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ଆଉ କିଛି ଅଭିଭାବକ ଭୟରେ ପିଲାଙ୍କୁ ସ୍କୁଲ୍‌କୁ ପଠାନ୍ତି ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରୁ ବଡ ସମସ୍ୟା ହେଉଛି ବର୍ଷା ଦିନ। ଏହି ସମୟରେ ନଦୀ ଜଳ ପ୍ରବାହିତ ହୁଏ ଏବଂ ପିଲାମାନେ ମାସ ମାସ ଧରି ସ୍କୁଲ୍‌କୁ ଯାଇପାରନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ପାଠପଢା ପ୍ରଭାବିତ ହୁଏ । ତେବେ ବ୍ରିଜ୍‌ ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share