ପାକିସ୍ତାନର ଏହି ରାମ ମନ୍ଦିରରେ ପୂଜା ନେଇ ପ୍ରତିବନ୍ଧକ ଲାଗୁ, ହଟାଗଲା ମୂର୍ତ୍ତି…

ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ପାକିସ୍ତାନରେ ଏକ ରାମ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ ପାକିସ୍ତାନ ସରକାର ମଧ୍ୟ ଭଗବାନ ଶ୍ରୀ ରାମଙ୍କ ପ୍ରତିମାକୁ ମନ୍ଦିରରୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ମନ୍ଦିର ଧ୍ୱଂସ ହେବାକୁ ଯାଉଛି। ସୂଚନାନୁସାରେ, ସ୍ଥାନୀୟ ହିନ୍ଦୁ ସଂଗଠନ ଏହି ପରିପ୍ରେକ୍ଷୀରେ ପ୍ରଶାସନ ଏବଂ ସରକାରଙ୍କୁ ଅନେକ ଥର ସ୍ମାରକପତ୍ର ଦାଖଲ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ମନ୍ଦିର ଖୋଲାଯାଇ ନାହିଁ।

ପାକିସ୍ତାନର ଏହି ରାମ ମନ୍ଦିର ଇସଲାମାବାଦର ମାର୍ଗଲା ପାହାଡ ଉପରେ ଅଛି। ସ୍ଥାନୀୟ ଲୋକେ କୁହନ୍ତି ପ୍ରଭୁ ଶ୍ରୀ ରାମଙ୍କ ଏହି ମନ୍ଦିର ପ୍ରାୟ ୧୬ ଶତାବ୍ଦୀରେ ନିର୍ମିତ ହୋଇଥିଲା। କୁହାଯାଏ ଯେତେବେଳେ ଶ୍ରୀ ରାମ, ମାତା ସୀତା ଏବଂ ଲକ୍ଷ୍ମଣ ୧୪ ବର୍ଷ ବନବାସରେ ଥିଲେ, ସେମାନେ ଏଠାରେ କିଛି ସମୟ ବିତାଇଥିଲେ। ଏଠାରେ ଅନେକ ସ୍ଥାନ ଅଛି ଯେଉଁଠାରେ ଭଗବାନ ରାମ ପାଣି ପିଇ ବିଶ୍ରାମ ନେଇଥିଲେ। ପ୍ରତିବର୍ଷ ବହୁ ସଂଖ୍ୟାରେ ହିନ୍ଦୁ ଏହି ମନ୍ଦିରକୁ ଆସୁଥିଲେ। ପୂର୍ବରୁ ପ୍ରତିବର୍ଷ ଏଠାରେ ଏକ ମେଳା ଆୟୋଜନ କରାଯାଇଥିଲା, ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି ।

ସୂଚନାନୁସାରେ, ଯେହେତୁ ଏଠାରେ ପୂଜାପାଠ କରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ରହିଆସିଛି, ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ କେବଳ ପର୍ଯ୍ୟଟକମାନେ ମନ୍ଦିର ଏବଂ ଏଠାରେ ଅବସ୍ଥିତ ପ୍ରାଚୀନ ରାମ କୁଣ୍ଡ ଦେଖିବାକୁ ଆସୁଛନ୍ତି। ମୂର୍ତ୍ତିଗୁଡ଼ିକୁ ମନ୍ଦିରରୁ ହଟାଇ ଦିଆଯାଇଛି। ଯେଉଁଥିପାଇଁ ସ୍ଥାନୀୟ ହିନ୍ଦୁମାନେ ମାନସିକ ବହୁତ ଆଘାତ ପାଇଛନ୍ତି। ପୂର୍ବରୁ ଏଠାରେ ପ୍ରତିବର୍ଷ ଏଠାରେ ଏକ ମେଳା ଅନୁଷ୍ଠିତ ହେଉଥିଲା।

 

Share