Categories: ଜାତୀୟ

ଯେସାକୁ ତେସା ରାଜନୀତି କଲେ ସିଦ୍ଧୁ

ନୂଆଦିଲ୍ଲୀ,୫।୧୨: ପଞ୍ଜାବ ରାଜନୀତିରେ ନିଜ ପାଇଁ ବଡ଼ ସମ୍ଭାବନା ଖୋଜୁଥିବା ଅରବିନ୍ଦ କେଜ୍‌ରିୱାଲଙ୍କୁ ରବିବାର ଦିଲ୍ଲୀରେ କଂଗ୍ରେସ ଘେରିଛି। କେଜ୍‌ରିୱାଲ ଯେଉଁ ପ୍ରସଙ୍ଗରେ ପଞ୍ଜାବରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛନ୍ତି, କଂଗ୍ରେସ ସମାନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଯେସାକୁ ତେସା ରାଜନୀତି କରି କେଜ୍‌ରିଓ୍ବାଲଙ୍କୁ ଘେରିଛନ୍ତି। ସିଦ୍ଧୁ ଦିଲ୍ଲୀର କରୋନା ଅବଧିରେ ବେରୋଜଗାରୀ ଗେଷ୍ଟ ଶିକ୍ଷକମାନଙ୍କର ଏକ ପ୍ରଦର୍ଶନୀରେ ଯୋଗ ଦେଇ କେଜ୍‌ରିୱାଲଙ୍କୁ ପଚାରିଥିଲେ ଯେ, ସେ ଦିଲ୍ଲୀର ବେରୋଜଗାରୀଙ୍କ ପ୍ରତି ପ୍ରତିଶ୍ରୁତି ପାଳନ କରିଛନ୍ତି କି? ହଜାର ହଜାର ବେକାର ଶିକ୍ଷକଙ୍କ ଉଦାହରଣ ଦେଇ ସେ କହିଛନ୍ତି, ଯଦି କେଜ୍‌ରିୱାଲ ଦିଲ୍ଲୀରେ ନିଜ ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି, ତେବେ ସେ କିପରି ପଞ୍ଜାବର ଯୁବପିଢିଙ୍କ ଭବିଷ୍ୟତ ଗଠନ କରିବେ ବୋଲି ପ୍ରତିଶୃତି ଦେଇ ପାରିବେ। ମିଥ୍ୟା ଆଧାରରେ ରାଜନୀତି କରୁଥିବା ଅରବିନ୍ଦ କେଜ୍‌ରିୱାଲଙ୍କ ନାଁରେ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।
ନବଜୋତ ସିଂ ସିଦ୍ଧୁ କହିଛନ୍ତି, ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲ ଏଠାରେ ଯୁବକମାନଙ୍କୁ ଆଠ ଲକ୍ଷ ସରକାରୀ ଚାକିରୀ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ସରକାରୀ ଚାକିରି କେବଳ ୪୪୦ ଯୁବକଙ୍କୁ ଦେଇଛନ୍ତି। କେଜ୍‌ରିୱାଲ ଦିଲ୍ଲୀରେ ୨୦ଟି ନୂତନ କଲେଜ ଖୋଲିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ, କିନ୍ତୁ ସାତ ବର୍ଷ ଧରି କ୍ଷମତା ଗ୍ରହଣ କରିବା ପରେ ମଧ୍ୟ ସେ ଗୋଟିଏ କଲେଜ ଖୋଲିବାକୁ ସକ୍ଷମ ହୋଇନାହାଁନ୍ତି। କେଜ୍‌ରିୱାଲକ୍ଷମତାକୁ ଆସିବା ପରଠାରୁ ଦିଲ୍ଲୀରେ ବେକାରି ପାଞ୍ଚ ଗୁଣ ବୃଦ୍ଧି ପାଇଛି, କିନ୍ତୁ ଏହା ପରେ ମଧ୍ୟ ସେ ପଞ୍ଜାବରେ ଚାକିରି କରିବାକୁ ପ୍ରତିଶୃତି ଦେଇଛନ୍ତି, ଏହା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

Share