Categories: ଜାତୀୟ

ଅପ୍ରତ୍ୟାଶିତ ଭାବେ ନିଲମ୍ବନ ହେଲେ ପ୍ରାୟ ୧୦୦ ଏମପି, ଖାର୍ଗେ କହିଲେ-”ସଂସଦ ଉପରେ ମୋଦି ସରକାରଙ୍କ ଆକ୍ରମଣ”

ନୂଆଦିଲ୍ଲୀ, ୧୮।୧୨: ଗତ ସପ୍ତାହରେ ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରି ବିରୋଧୀ ଏମପିଙ୍କ ହଙ୍ଗାମା ପାଇଁ ଉଭୟ ଗୃହରୁ ୭୮ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ସେହିପରି ଗତ ସପ୍ତାହରେ ସମାନ ମାମଲାରେ ସରକାରଙ୍କ ବୟାନ ଦାବି କରି ୧୪ ସଦସ୍ୟ ନିଲମ୍ବିତ ହୋଇଥିଲେ। ସୋମବାର ନିଲମ୍ବିତ ସଦସ୍ୟଙ୍କୁ ମିଶାଇ ଏହି ତାଲିକା ୯୨ରେ ପହଞ୍ଚିଛି।

ଲୋକସଭାରେ ସମୁଦାୟ ୩୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସନ୍ଧ୍ୟାରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ୪୫ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଏହାପୂର୍ବରୁ ଡିସେମ୍ବର ୧୪ ରେ ୧୩ ଜଣ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା। ଟିଏମସି ସାଂସଦ ଡେରେକ ଓ’ବ୍ରାଇନଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଶୀତ ଅଧିବେଶନରୁ ମୋଟ ୯୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଲୋକସଭାରେ ଏପର୍ଯ୍ୟନ୍ତ ମୋଟ ୪୬ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭାରେ ମଧ୍ୟ ମୋଟ ୪୬ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ସଂସଦରେ ସୁରକ୍ଷା ତ୍ରୁଟି କୁ ନେଇ ଲଗାତାର ଚତୁର୍ଥ ଦିନ ଲୋକସଭାରେ ଉତ୍ତେଜନା ଦେଖାଦେଇଥିଲା। ଯେଉଁଠି ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ୩୩ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏଥିମଧ୍ୟରେ ନେତା ଆଧୀର ରଂଜନ ଚୌଧୁରୀଙ୍କ ସମେତ ୧୧ ଜଣ କଂଗ୍ରେସ ଏମପି, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେରୁ ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ଅଛନ୍ତି। ସାଂସଦଙ୍କ ନିଲମ୍ବନ ପରେ ଲୋକସଭାର କାର୍ଯ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ସାଂସଦଙ୍କ ନିଲମ୍ବନକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ସେ କହିଛନ୍ତି- “ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ବର୍ତ୍ତମାନ ମୋଦି ସରକାର ସଂସଦ ତଥା ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ସ୍ୱାଧୀନ ମୋଦି ସରକାରରେ ୪୭ ଜଣ ସାଂସଦଙ୍କୁ ନିଲମ୍ବନ କରି ଗଣତାନ୍ତ୍ରିକ ମାନଦଣ୍ଡ ଧୂଳିସାତ୍ କରି ଦିଆଯାଉଛି। ଆମର ଦାବି ହେଉଛି ଗୃହମନ୍ତ୍ରୀ ଅମିତ ଶାହା ଉଭୟ ଗୃହରେ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦିଅନ୍ତୁ ଏବଂ ଏହା ଉପରେ ଆଲୋଚନା ହେବା ଉଚିତ୍।”

ନିଲମ୍ବନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ”ସଂସଦର ସୁରକ୍ଷା ଅଭାବରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଛି। ତେଣୁ ଏହି ଘଟଣାକୁ ନେଇ ରାଜନୀତି ଚାଲିବା ଦୁର୍ଭାଗ୍ୟଜନକ। କେବଳ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୃହରେ ଆଲୋଚନା ହେବା ଉଚିତ୍। ବିର୍ଲା ଏହା ମଧ୍ୟ କହିଛନ୍ତି, “ଗୃହରେ ସ୍ଲୋଗାନ ଦେବା, ପ୍ଲାକାର୍ଡ ଆଣିବା, ପ୍ରତିବାଦରେ ଗୃହ ମଧ୍ୟକୁ ଆସିବା ଠିକ୍ ନୁହେଁ। ଦେଶର ଲୋକମାନେ ମଧ୍ୟ ଏହି ଆଚରଣକୁ ପସନ୍ଦ କରନ୍ତି ନାହିଁ।”

Share