Categories: ଜାତୀୟ

ୟୁପିରେ କନଷ୍ଟେବଳଙ୍କୁ ପିଟି ହତ୍ୟା

କାସ୍‌ଗଞ୍ଜ, ୧୧।୨: ମଦ ମାଫିଆ କିଙ୍ଗ୍‌ପିନ୍‌ଙ୍କୁ ଓ୍ବାରେଣ୍ଟ ଦେବାକୁ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାସ୍‌ଗଞ୍ଜ ଜିଲା ଅନ୍ତର୍ଗତ ଏକ ଗ୍ରାମକୁ ଯାଇଥିବା ପୋଲିସ ଟିମ୍‌ ଉପରେ ନିସ୍ତୁକ ମାଡ଼ ହୋଇଥିଲା। ଏଥିରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ସବ୍‌ଇନ୍ସପେକ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ଏନ୍‌କାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ତଥା ମଦ ମାଫିଆ କିଙ୍ଗ୍‌ପିନ୍‌ଙ୍କ ଭାଇ ଏଲ୍‌କାର ନିହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କନଷ୍ଟେବଳ ଦେବେନ୍ଦ୍ର ଏବଂ ସବ୍‌ଇନ୍ସପେକ୍ଟର ଅଶୋକ କୁମାର ଓ୍ବାରେଣ୍ଟ ଦେବା ଲାଗି ସିଦ୍ଧପୁରା ଥାନା ଅନ୍ତର୍ଗତ ନାଗ୍‌ଲା ଧିମାର ଗ୍ରାମକୁ ଯାଇଥିଲେ। ମଦ ମାଫିଆ କିଙ୍ଗ୍‌ପିନ୍‌ ମୋତି, ତାଙ୍କ ଭାଇ ଏଲ୍‌କାର ଏବଂ ସହଯୋଗୀମାନେ ଉଭୟଙ୍କୁ ଧରିନେଇ ମାଡ଼ ମାରିଥିଲେ। ହସ୍ପିଟାଲକୁ ନେବାବେଳେ ଦେବେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଅଶୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ଏଲ୍‌କାର ମୁଖ୍ୟ ଅଭିଯୁକ୍ତ ଥିଲେ। ଜାତୀୟ ସୁରକ୍ଷା ଆଇନରେ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତ କନଷ୍ଟେବଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଆହତ ସବ୍‌ଇନ୍ସପେକ୍ଟରଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share