Categories: ଜାତୀୟ

ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟନା,୨୯।୭ : ଏକ ମାମଲାର ବିଚାର କରି ପାଟନା ହାଇକୋର୍ଟ କହିଛନ୍ତି ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଜଷ୍ଟିସ ଜିତେନ୍ଦ୍ର କୁମାର ଏବଂ ଜଷ୍ଟିସ ପି.ବି ବାଜରଥରିଙ୍କୁ ନେଇ ଗଠିତ ବେଞ୍ଚ ମୁଜାଫରପୁର ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପରିବାର କୋର୍ଟ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ଦେବାକୁ ମନା କରିଦେଇଥିଲେ। ଏହାପରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀ କହିଥିଲେ ସେମାନେ ୨୦୧୫ ରେ ବିବାହ କରିଥିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ସହ ରହିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ସେ ପରିବାର ସୃଷ୍ଟି କରିବା ପାଇଁ ନୁହେଁ ବରଂ ନିଜର କୁମାରୀତ୍ୱ ହରାଇବା ଲାଗି ବିବାହ କରିଛନ୍ତି। ପତ୍ନୀଙ୍କ ଆଚରଣ ତାଙ୍କ ରହିବା ସମୟରେ ସ୍ବାମୀ ଏବଂ ତାଙ୍କ ପିତାମାତା ତଥା ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ଭଲ ନ ଥିଲା।

ସ୍ବାମୀ କହିଥିଲେ ଯେତେବେଳେ ସ୍ତ୍ରୀ ଅସୁସ୍ଥ ହେଲେ, ସେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ ଏବଂ ରିପୋର୍ଟରେ କୁହାଯାଇଥିଲା ତାଙ୍କ ଗର୍ଭାଶୟରେ ଏକ ସିଷ୍ଟ ଅଛି ଫଳରେ ସେ ଗର୍ଭବତୀ ହୋଇପାରୁନାହାଁନ୍ତି। ସ୍ବାମୀ ତାଙ୍କୁ ଛାଡପତ୍ର ଦେଇ ଏବଂ ଅନ୍ୟ ଜଣେ ମହିଳାଙ୍କୁ ପୁନର୍ବାର ବିବାହ କରିବାକୁ ଚାହୁଁଥିଲେ ଯାହା ଦ୍ୱାରା ସେ ଏକ ସନ୍ତାନ ପାଇ ପାରିବେ। ସ୍ବାମୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରୁ କେହି ଅସୁସ୍ଥ ହେବା ଉଭୟଙ୍କ ନିୟନ୍ତ୍ରଣରେ ନାହିଁ। ଏଭଳି ପରିସ୍ଥିତିରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା, ସହଯୋଗ କରିବା ଏବଂ ସହ୍ୟ କରିବା ଏହା ହେଉଛି ମିଳିତ ଦାମ୍ପତ୍ୟ କର୍ତ୍ତବ୍ୟ।

ସନ୍ତାନ ଜନ୍ମ କରିବାରେ ଅସମର୍ଥ ହେବାର ସମ୍ଭାବନା ବୈବାହିକ ଜୀବନର ଏକ ଅଂଶ ହୋଇପାରେ ଏବଂ ବିବାହର ପକ୍ଷମାନେ ସନ୍ତାନ ଜନ୍ମ କରିବା ପାଇଁ ପୋଷ୍ୟ ସନ୍ତାନ ଭଳି ଅନ୍ୟ ଉପାୟ ଅବଲମ୍ବନ କରିପାରନ୍ତି। ୍‌ ହାଇକୋର୍ଟ କହିଛନ୍ତି ହିନ୍ଦୁ ବିବାହ ଆଇନରେ ଏଭଳି ପରିସ୍ଥିତିରେ ଛାଡପତ୍ର ଅନୁମୋଦିତ ନୁହେଁ।

Share