ବିଦ୍ୟୁତ୍‌ ସେବା ଅପହଞ୍ଚ: ମୋବାଇଲ ଆଲୁଅରେ ରୋଗୀଙ୍କୁ ଇଞ୍ଜେକ୍‌ଶନ

ବରଗଡ଼ ଅଫିସ୍‌,୨୧ା୫: ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନେକ ସମୟରେ ବିଦ୍ୟୁତ ସେବା ଅପହଞ୍ଚ ହୋଇ ପଡୁଛି। ଫଳରେ ଅନ୍ଧାରରେ ମୋବାଇଲ ଟର୍ଚ୍ଚ ବ୍ୟବହାର କରି ରୋଗୀସେବା କରାଯିବା ଭଳି ଘଟଣା ସାମ୍‌ନାକୁ ଆସିଛି। ଶୁକ୍ରବାର ରାତିରେ ବିଦ୍ୟୁତ କାଟ୍‌ ଯୋଗୁ ଦୀର୍ଘ ସମୟ ଧରି ଅନ୍ଧାରରେ ରୋଗୀଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟକର୍ମୀମାନେ ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ରୋଗୀଙ୍କୁ ଇଞ୍ଜେକ୍ସନ, ସାଲାଇନ ଦେଉଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ କାଟ୍‌ ହେଲେ ବିକଳ୍ପ ଭାବେ ଉକ୍ତ ଡାକ୍ତରଖାନାରେ ଏକ ଜେନେରେଟର ରହିଛି। ମାତ୍ର ତାହା ବି ଚାଲି ନ ଥିଲା। ଫଳରେ ମୋବାଇଲ ଟର୍ଚ୍ଚରେ ଚିକିତ୍ସା ଚାଲିଥିଲା। ଅନ୍ୟପଟେ ଗୁଳକୁଳି ଯୋଗୁ ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଚାରୁବାଳା ରଥ କହିଛନ୍ତି, ଜେନେରେଟର ତେଲ ସରି ଯାଇଥିବା ଯୋଗୁ ସେଭଳି ସମସ୍ୟା ଉପୁଜିଥିଲା। ଜେନେରେଟରରେ ତେଲ ଭରାଯିବା ପରେ ସମସ୍ୟା ଦୂର ହୋଇଥିଲା। ତେବେ ଆଗକୁ ଯେଭଳି ଏହି ସମସ୍ୟାର ପୁନରାବୃତ୍ତି ନ ହେବ, ସେଥିପାଇଁ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ କରାଯିବ ବୋଲି ସେ କହିଥିଲେ।

Share