ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ ଅବସ୍ଥାରେ ଧାନ ପେଟା ମାଟିରେ ଲୋଟି ପଡିବାରୁ ଭିଜିଯାଇଛି ବୋଲି ବନ୍ଦେର ପଞ୍ଚାୟତ ସଦର ଗାଁର ବିମଳ ସାହୁ, ଧନୁର୍ଦ୍ଧର ପ୍ରଧାନ, ଦେବାର୍ଚ୍ଚନ ପ୍ରଧାନ, ପଞ୍ଚାନନ ପ୍ରଧାନ, ଜିତୁ ନାଗ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଲାଠୋର ଅଞ୍ଚଳରେ ୧୨ଶହରୁ ଊର୍ଦ୍ଧ୍ୱ ଚାଷୀ ଚଳିତ ବର୍ଷ ପ୍ରାୟ ୨ହଜାର ହେକ୍ଟର ଜମିରେ ଧାନ ଓ ୧ ହଜାରରୁ ଊର୍ଦ୍ଧ୍ୱ ଜମିରେ କପା ଚାଷ କରିଛନ୍ତି। ସାମୁୁଦ୍ରିକ ଛଡ ମିଗ୍‌ଜୋମ୍‌ ପ୍ରଭାବରେ ବର୍ଷା ହେବାର ସୂଚନା ଥିଲେ ମଧ୍ୟ ଆନୁସାଙ୍ଗିକ ବ୍ୟବସ୍ଥାର ଅଭାବ ହେତୁ ଚାଷୀମାନେ ଧାନ ଏବଂ କପା ଫସଲକୁ ସୁରକ୍ଷିତ ରଖି ପାରି ନ ଥିଲେ। କେତେକ ଧାନ ଅମଳ କରି ଘରକୁ ଆଣି ଖଳାରେ ରଖିଛନ୍ତି। ଅନେକ କେତେକ ଧାନ କାଟି କ୍ଷେତରେ ପକାଇଛନ୍ତି ବା କାଟି ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରୁ ଲଗାଣ ବର୍ଷା ପବନ ଯୋଗୁ ଧାନ ଏବେ ଗଜା ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅମଳ ହେବାକୁ ଥିବା କପା ସବୁ ଭିଜି ଯାଇଛି। ଧାର କରଜ କରି ଫସଲ ଉଠିଆ କରିଥିବା ଚାଷୀ ଏବେ ଫସଲହାନୀ ଆଶଙ୍କା କରି ଚିନ୍ତାରେ ରହିଛନ୍ତି। କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଜିଲା କୃଷକ ମହାସଂଘ ସଭାପତି ଜତି ପ୍ରଧାନ ଦାବି କରିଛନ୍ତି। ଏନେଇ ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେରଙ୍କୁ ପଚାରିବାରୁ ବର୍ଷାର ପ୍ରାକ୍‌ ସୂଚନା ଚାଷୀ ପାଇ ଅନେକ ନିଶ୍ଚିତ ସତର୍କ ଥିବେ। କପା ଫସଲ ପ୍ରଭାବିତ ହେବା ସମ୍ଭାବନା ରହିଛି। କ୍ଷେତରେ କଟା ହୋଇ ପଡିଥିବା କ୍ଷତିଗ୍ରସ୍ତ ହୋଇପାରେ। କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ କହିଥିଲେ।

Share