ଏସ୍‌ଏଚ୍‌ଜି କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କଲେ ଇନଚାର୍ଜ, ତାତିଲେ ମହିଳା

ସିମୁଳିଆ, ୩।୭(ସନ୍ତୋଷ ନାୟକ): ସରକାର ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଶନଶକ୍ତି ମାଧ୍ୟମରେ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଗ୍ରୁପମାନଙ୍କ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଇନଚାର୍ଜ ବିପିଏମ୍‌(ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର) ବିଭିନ୍ନ ଏସ୍‌ଏଚ୍‌ଜି ଦାୟିତ୍ୱରେ ଥିବା ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ କୂଳଧରବିନ୍ଧା ଓ ସେରପୁର ଅଞ୍ଚଳର ୮ଟି ଏସ୍‌ଏଚ୍‌ଜିର ୨୫ଜଣ ମହିଳା ମଙ୍ଗଳବାର ବିଡିଓ ସମ୍ବିତ କୁମାର କରଙ୍କୁ ଭେଟିଥିଲେ। ଅଣ୍ଡରାଇ ପଞ୍ଚାୟତ ଅଧୀନ କୂଳଧରବିନ୍ଧା ଅଞ୍ଚଳର ସିଆରପି ମଞ୍ଜୁଲତା ମହାପାତ୍ରଙ୍କୁ ବିପିଏମ୍‌ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବିପିଏମ୍‌ ଅନୁରାଧା ରାୟ କହିଛନ୍ତି, ବ୍ଲକ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିବା ପରିବର୍ତ୍ତେ ଅଫିସରେ ବସି ରହୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ବିଡିଓ କର କହିଛନ୍ତି ଯେ, ବିପିଏମ୍‌ଙ୍କ ବିରୋଧରେ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି। ତାଙ୍କୁ ଗାଇଡଲାଇନ ମଗାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ଗୁରୁବାର ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Share