ବଲାଙ୍ଗୀର ଅଫିସ,୧୭।୧୨: ବଲାଙ୍ଗୀର ଜିଲା ଆଗଲପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରଙ୍କ ବେକରେ ଜାଭେଲିନ ପଶିଯିବା ଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି । ସମ୍ପୃକ୍ତ ଛାତ୍ର ହେଲେ ଆଗଲପୁର ବାଳକ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେର । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଗଲପୁରରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାକୁ ନେବା ପର୍ଯ୍ୟନ୍ତ ବି ଛାତ୍ରଙ୍କ ବେକରେ ଜାଭେଲିନ ପଶି ରହିଛି । ଅନ୍ୟପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରଙ୍କୁ ରେଡ୍କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ ବୋଲି ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି।