ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ଡାକ୍ତର-କର୍ମଚାରୀ ମାରପିଟ

ସମ୍ବଲପୁର,୩ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ପୃଥକ୍‌ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗ ଅନୁସାରେ ଦୁଇଜଣ ନବନିଯୁକ୍ତ ଡାକ୍ତର ବୁର୍ଡ ପ୍ରାଥମିକ ଚିକିତ୍ସାଳୟ ଚିକିତ୍ସାଧିକାରୀ ଡା. ପ୍ରଶାନ୍ତ ଓରାମ ଓ ବାବୁନିକିତିମାଲ ପ୍ରାଥମିକ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡା. ଦିଲୀପ କୁମାର ପାଣିଗ୍ରାହୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟକୁ ଆସି ମହିଳା ଆକାଉଣ୍ଟାଣ୍ଟ ସଙ୍ଗୀତା ବୋଷଙ୍କ ସହ ଆଲୋଚନା କରିଥିଲେ। ପରେ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ଡାକ୍ତର ସେଠାରୁ ଚାଲିଯାଇ ପୁଣି ଅପରାହ୍ନ ସାଢ଼େ ୩ଟାରେ ଆଉ ଦୁଇଜଣ ସହଯୋଗୀଙ୍କୁ ଧରି ସିଡିଏମ୍‌ଓଙ୍କ ଅଫିସରେ ପହଞ୍ଚି ଥିଲେ।

ହଠାତ୍‌ ସେମାନେ କାର୍ଯ୍ୟାଳୟର କବାଟ, ଝରକା ଭଙ୍ଗାରୁଜା କରିବା ସହ ବରିଷ୍ଠ କିରାଣି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହା ଦେଖି କନିଷ୍ଠ କିରାଣି ଶୁକଦେବ ଦେବାଙ୍ଗନ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ଡାକ୍ତର ଓ ସହଯୋଗୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଡାକ୍ତରଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି।

ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ମିଶ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତାଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ ଜରିଆରେ ଘଟଣାର ତଦନ୍ତ କରାଯାଉଥିବା ସେ କହିଥିଲେ।

ଅପରପକ୍ଷେ ଏହାକୁ ନେଇ ସିଡିଏମ୍‌ଓଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀଙ୍କ ପ୍ରଦତ୍ତ ଏତଲା ଆଧାରରେ ଚିକିତ୍ସାଧିକାରୀ ଡା. ପ୍ରଶାନ୍ତ ଓରାମ ଓ ଡା. ଦିଲୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଟାଉନ ଥାନାରେ କେସ୍‌ ନଂ.୮୪/୨୪ରେ ମାମଲା ରୁଜୁ ହୋଇଛି। ଅନୁରୂପ ଭାବେ ଉଭୟ ଡାକ୍ତରଙ୍କ ପାଲଟା ଏତଲାକ୍ରମେ ସିଡିଏମ୍‌ଓ କାର୍ଯ୍ୟାଳୟର ମହିଳା କର୍ମଚାରୀ ସଙ୍ଗୀତା ବୋଷ, ପ୍ରଶାନ୍ତ କୁମାର ମିଶ୍ର ଓ ଶୁକଦେବ ଦେବାଙ୍ଗନଙ୍କ ବିରୋଧରେ ପୋଲିସ ମାମଲା (ନଂ.୮୫/୨୪) ରୁଜୁ କରି ତଦନ୍ତ କରୁଥିବା ଟାଉନ ଥାନା ସୂତ୍ରରୁ ପ୍ରକାଶ।

 

Share