ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ

ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ରେ ସୋମବାର ଯବାନଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି ।
ମୃତକ ଯବାନ ଜଣକ ହେଉଛନ୍ତି ଯାଜପୁର ଜିଲାର ବାଲିଚାନ୍ଦପୁର ଥାନା ବଡ଼ ବାଲିକୁଦା ଅଞ୍ଚଳର ତୁଷାରକାନ୍ତି ଦାସ ।
ସୂଚନାଯୋଗ୍ୟ, ମାଓପ୍ରବଣ ଅଞ୍ଚଳ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଗ୍ରାମରେ ରହିଥିବା ସିଆରପିଏଫ ନୂତନ କ୍ୟାମ୍ପରେ ତୁଷାରକାନ୍ତି ମୁତୟନ ଅଛନ୍ତି। ସେଠାରେ ସେ ଜେନେରେଟରର ଇଲେକ୍ଟ୍ରି କାମ କରୁଥିବା ବେଳେ ଅସାବଧାନତା କାରଣରୁ ଇଲେକ୍ଟ୍ରିକ୍‌ ସକ୍‌ରେ ଗୁରୁତର ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବିଭାଗୀୟ ଉପରିସ୍ଥ ଅଧିକାରୀ ଓ ସହକାରୀ ତୁଷାରକାନ୍ତିଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ ଡାକ୍ତର ତୁଷାରକାନ୍ତିଙ୍କୁ ମୃତ ଘୋଷଣା କରିଥିବା ସିଆରପିଏଫ ପକ୍ଷରୁ ସୂଚନା ମିଳିଛି। ମୃତଦେହ ବ୍ୟବଚ୍ଛେଦ ପରେ କମାଣ୍ଡା ଆନନ୍ଦ ଝାଙ୍କ ସମେତ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ମୃତ ଯବାନଙ୍କ ମର ଶରୀରକୁ ତାଙ୍କ ଗାଁକୁ ପଠାଇଥିବା ଜଣାପଡ଼ିଛି ।