ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତଙ୍କୁ ପିଟିଲେ ଉଠାଦୋକାନୀ, ଗୁରୁତର ଅବସ୍ତାରେ

ଘଟଗଁା.୨୭ା୧୧(ରାଜେନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗଁାସ୍ଥିତ ତାରିଣୀ ମନ୍ଦିରଠାରେ ଉଠାଦୋକାନୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭୋଗଡାଲା ଦରକୁ ନେଇ ପାଟିତୁଣ୍ଡ ହେବାରୁ ଏହି ଘଟଣା ଘଟିଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆନନ୍ଦପୁର ସବ୍‌ଡିଭିଜନ ହାଟଡିହି ବ୍ଲକ ଅନ୍ତର୍ଗତ ବଂଚୋ ଗ୍ରାମର ଅନିଲ କୁମାର ବରାଳ ତାଙ୍କର ୩ ସାଙ୍ଗଙ୍କ ସହ ତାରିଣୀ ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ୧ନଂ. ଗେଟ ପାଖ ଉଠାଦୋକାନରୁ ଭୋଗ ସାମଗ୍ରୀ କିଣିଥିଲେ। ପଇସା ଦେବା ବେଳେ ଭୋଗଡାଲାର ଦରକୁ ନେଇ ଦୋକାନୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନୀମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ଅନିଲଙ୍କ ନାକ ଫାଟି ଲହୁଲୁହାଣ ହୋଇଥିଲେ। ଏ ନେଇ ସେ ଘଟଗାଁ  ଥାନାରେ ଅଭିଯୋଗ କରିବା ସହ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ଭକ୍ତ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।