Categories: ଜାତୀୟ

ତିହାର ଜେଲ୍‌ରେ ଅଘଟଣ, ୫ କଏଦୀଙ୍କ ସାମୁହିକ ଆତ୍ମହତ୍ୟା ଉଦ୍ୟମ…

ନୂଆଦିଲ୍ଲୀ, ୬।୧ : ତିହାର ସେଣ୍ଟ୍ରାଲ ଜେଲରେ ଅଘଟଣ ଘଟିଛି। ଏଠାରେ ୫ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲର କର୍ମଚାରୀମାନେ ଠିକ ସମୟରେ ଏହା ଜାଣିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଜଣେ କଏଦୀଙ୍କୁ ଚିକିତ୍ସାଲାଗି ନିକଟସ୍ଥ ଡିଡିୟୁୂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ୍ଦୀମାନଙ୍କ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ, ଏହି ଘଟଣା ତିହାରର ତିନି ନମ୍ବର ଜେଲରେ ଘଟିଥିଲା। ସେଠାରେ ମଙ୍ଗଳବାର ୫ ଜଣ କଏଦୀ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ତିହାରର ଜେଲ ନମ୍ବର ୩ ର ୱାର୍ଡ ନମ୍ବର ୧ରେ କଏଦୀମାନେ ପ୍ରଥମେ ଏକ ତୀକ୍ଷ୍ଣ ଜିନିଷ ଦ୍ୱାରା ନିଜକୁ ଆଘାତ କରିଥିଲେ। ପରେ ସମସ୍ତେ ନିଜ ୱାର୍ଡ ଭିତରେ ଥିବା ଛାତ ଏବଂ ଝରକାରରେ ଫାଶୀ ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ଏସମ୍ପର୍କ ଡ୍ୟୁଟିରେ ଥିବା ଜେଲ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ସେମାନେ ସଙ୍ଗେ ସଙ୍ଗେ କଏଦୀମାନଙ୍କ ୱାର୍ଡ ଖୋଲି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାର ସୂଚନା ଜେଲର ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଥିଲା। ପ୍ରଥମେ ସମସ୍ତ ଆହତ କଏଦୀଙ୍କୁ ଜେଲ ଭିତରେ ଥିବା ବଡ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଜଣେ କଏଦୀଙ୍କୁ ଗୁରୁତର ଅବସ୍ଥାରେ ଡିଡିୟୁ ଡାକ୍ତରଖାନାକୁ ପଠାଯାଇଛି।

ତିହାରରେ ପ୍ରଥମ ଥର ପାଇଁ ଏଭଳି ସାମୁହିକ ଆତ୍ମହତ୍ୟା ଉଦ୍ୟମ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତିହାର ଜେଲରେ ଏକାସାଙ୍ଗରେ ପାଞ୍ଚ ଜଣ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି। ତେବେ ଅନେକ ଥର ତିହାର ଜେଲର ଅନ୍ତେବାସୀ ଆତ୍ମହତ୍ୟା କରିଛନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲ ପ୍ରଶାସନ ଅନୁଯାୟୀ, ତିହାରରେ ନୂତନ ସିସିଟିଭି କ୍ୟାମେରା ଲଗାଯିବା ପରେ ଏଭଳି ବହୁ କଏଦୀଙ୍କୁ ଉଦ୍ଧାର କରାଯାଇ ପାରୁଛି।

ଏହି ଘଟଣା ସମ୍ପର୍କରେ ତିହାର ଜେଲର ଡିଜି ସନ୍ଦୀପ ଗୋଏଲ କହିଛନ୍ତି ଯେ କଏଦୀମାନେ ଆହତ ହୋଇଥିବରା ବିଷୟରେ ସେ ଅବଗତ ଅଛନ୍ତି, କିନ୍ତୁ ସେମାନେ ସାମୁହିକ ଭାବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ଖବର ତାଙ୍କ ପାଖରେ ନାହିଁ।

ପ୍ରଥମେ ସମସ୍ତ ବନ୍ଦୀଙ୍କୁ ଏସମ୍ପର୍କରେ କାଉନସେଲିଂ କରାଯିବ ବୋଲି ଗୋୟଲ କହିଛନ୍ତି। ଯାହାଦ୍ୱାରା ଭବିଷ୍ୟତରେ ଏଭଳି ପଦକ୍ଷେପ ନେବାକୁ ସେମାନଙ୍କର ପ୍ରୟାସ ବନ୍ଦ ହୋଇଯିବ। ଏହା ସହିତ ଜେଲରେ ଥିବା କଏଦୀମାନଙ୍କ ଆଚରଣ ସମେତ ଅନ୍ୟ ସମସ୍ତ ଜିନିଷ ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। କଏଦୀଙ୍କ ମଧ୍ୟରୁ କେହି ଅତୀତରେ ଏପରି ଉଦ୍ୟମ କରିଛନ୍ତି କି ନାହିଁ ତାହାର ତଦନ୍ତ ମଧ୍ୟ କରାଯିବ।

କଏଦୀମାନଙ୍କ ଜୀବନ ରକ୍ଷା କରିଥିବାରୁ ଡ୍ୟୁଟିରେ ଥିବା ଜେଲ କର୍ମଚାରୀଙ୍କ ପାଇଁ ଏବେ ବିଭିନ୍ନ ବର୍ଗଙ୍କ ପକ୍ଷରୁ ପ୍ରଶଂସା କରାଯାଉଛି।

Share