ବଣାଇଁରେ ନାବାଳିକା କୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଘଟଣା: ୧୮ ଦିନ ପରେ ପୋଲିସ ହାତରେ ଅଭିଯୁକ୍ତ

ବଣାଇଁ, ୨୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଜିକୁ ଅଠର ଦିନ ତଳେ ଅର୍ଥାତ ଚଳିତ ମାସ ୬ ତାରିଖ ଦିନ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାର ଅଭିଯୁକ୍ତକୁ ବଣାଇଁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ନିଜ ସନ୍ତାନକୁ ଦେଖି ଆସିଥିବା ବେଳେ ମାଡ଼ିବସିଥିଲା ପୋଲିସ। ପରେ ଆଜି ଅଭିଯୁକ୍ତ ଶିବ ଭୂମିଜକୁ ଗିରଫ କରିବା ସହ ବଣାଇଁ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ପ୍ରକାଶ ଯେ ଗତ ୬ ତାରିଖ ଦିନ ବଣାଇଁ ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଇବା ଅଭିନୟ କରି ଶିବ ଭୂମିଜ ଗର୍ଭବତୀ କରିବା ପରେ ମାରିବା ଉଦ୍ୟମ କରିଥିଲା। ଏପରିକି ପ୍ରବଳ ମାଡ ମାରିବା ପରେ ତଣ୍ଟି ଚିପି ଦେବା ଯୋଗୁଁ ନାବାଳିକା ଅଚେତ ହୋଇଯିବା ପରେ ମରିଗଲା ଭାବି ଜଙ୍ଗଲର ଏକ ଗାଡ଼ିଆ ରେ ପକାଇ ଚାଲି ଯାଇଥିଲା। ପରଦିନ ଅର୍ଥାତ୍ ସାତ ତାରିଖ କିଛି ଗ୍ରାମବାସୀ ମୁମୁର୍ଷୁ ଅବସ୍ଥାରେ ପଡିଥିବା ନାବାଳିକାକୁ ଦେଖି ଉଦ୍ଧାର କରିବା ପରେ ଘର ଲୋକଙ୍କୁ କହି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ।

ଅଭିଯୋଗ ପରେ ବଣାଇଁ ଥାନାରେ ଏ ସଂକ୍ରାନ୍ତରେ ଏକ କେଶ ନଂ ୧୮୭/୨୪ ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ବଣାଇଁ ଥାନା ର ସବ୍ ଇନିସପେକ୍ଟର ପଙ୍କଜିନି ସାହୁ ତଦନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ଓ ଆଜି ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ଛି। ଗିରଫ ଅଭିଯୁକ୍ତ ଯୁବକ ଶିବ ଭୂମିଜ ଆଗରୁ ବିବାହିତ ଓ ତା ସ୍ତ୍ରୀ ଗତ ମେଁ ମାସ ୨୫ ତାରିଖ ରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରି ଥିବା ପୋଲିସ କହିଛି। ଏପରିକି ତାର ଏକ ଦୁଇବର୍ଷ ର ପୁତ୍ର ସନ୍ତାନ ମଧ୍ଯ ଅଛି। ଅପରପକ୍ଷରେ ପୀଡିତା ନାବାଳିକା ବାପା ଛେଉଣ୍ଡ ଏବଂ ଆଜି ପର୍ଯ୍ୟନ୍ତ ସେ ରାଉରକେଲା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ଛି।

Share