ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର ଗଞ୍ଜାମ ଥାନାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଗାଡି ନମ୍ବର ଏବଂ ସ୍କୁଟିରେ ଥିବା ଗ୍ୟାସ ଖାତାରୁ ଯୁବକ ଜଣକ ବ୍ରହ୍ମପୁର ଅଞ୍ଚଳର ସନ୍ତୋଷ ବେହେରା ବୋଲି ଜଣାପଡିଥିଲା। ପୋଲିସ ଯୁବକଙ୍କ ପରିଚୟ ପାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।

ଏପରିକି ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରିଥିଲେ। ହେଲେ ଯୁବକଙ୍କ କୌଣସି ପତ୍ତା ମିଳି ନ ଥିଲା। ହେଲେ ଯୁବକ ଜଣକ ହାଇଦ୍ରାବାଦରେ ଜୀବିତ ଥିବା ବେଳେ ସେ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଛନ୍ତି। ଏନେଇ ଶନିବାର ବାପା ନିର ବେହେରା ଗଞ୍ଜାମ ଥାନାକୁ ଜଣାଇଛନ୍ତି।

ସନ୍ତୋଷ ବ୍ରହ୍ମପୁରରେ ଏକ ଟାୟାର ଦୋକାନରେ କାମ କରୁଥିଲେ। ମାଲିକଙ୍କ ସହ କୌଣସି କାରଣକୁ ନେଇ ମତାନ୍ତର ପରେ ସେ ଗାଡି ରଖି ଏକ ଟ୍ରକ୍‌ରେ ବସି ହାଇଦ୍ରାବାଦ ଚାଲି ଯାଇଥିବା ସନ୍ତୋଷଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉକ୍ତ ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଦିନ ହିଁ ଜବତ ସ୍କୁଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି।

Share