Advertisement

ଶିଶୁଦିବସ ପାଳନ ବେଳେ ଅଘଟଣ: ବକ୍ତବ୍ୟ ଦେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହ ଘଟିଲା ଏମିତି…

କଣ୍ଟାବାଞ୍ଜି,୧୪ା୧୧(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ଉପାନ୍ତ ତୁରେକେଲା  ଥାନା କୁଇବାହାଲ ଗ୍ରାମର ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲରେ  ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଦିବସ ପାଳନ ଅବସରରେ ବକ୍ତବ୍ୟ ଦେଉଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ  ପର୍ଶୁରାମ ଦାସ(୫୭) ହଠାତ୍‌ ଟଳି ପଡ଼ିଥିଲେ। ଏହା ଦେଖି ସ୍କୁଲର ଶିକ୍ଷକ ଏବଂ ଗ୍ରାମବାସୀ ତାଙ୍କୁ  ତୁନ୍ତତ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ  ଚିକିତ୍ସା କରିବା ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍କୁଲର ଛାତ୍ରୀଛାତ୍ର, ଗ୍ରାମବାସୀ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।
ପ୍ରକାଶ ଯେ, ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲରେ ୨୦୦୧ରୁ ପର୍ଶୁରାମ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିଲେ ା  ସ୍କୁଲଟି ବେସରକାରୀ ଭାବେ ପ୍ରତିଷ୍ଠା ହେବା ଦିନଠାରୁ ସେ ଶିକ୍ଷକତା କରୁଥିଲେ। ତାଙ୍କ ଘର କଟକ ଜିଲା ମାହାଙ୍ଗା ଥାନା ନାଲବେଗି ଗ୍ରାମରେ। ବିଦ୍ୟାଳୟରେ ଶିକ୍ଷକତା କରି ସେ ଦୀର୍ଘ ବର୍ଷ ହେଲା କଣ୍ଟାବାଞ୍ଜି ସହରରେ ରହି ଆସୁଥିଲେ।
ପୂର୍ବାହ୍ନରେ ଶିଶୁଦିବସ ଉପଲକ୍ଷେ  ସ୍କୁଲରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନ ଶିକ୍ଷକ ଭାଷଣ ଦେଉଥିବା ବେଳେ  ହଠାତ୍‌ ଟଳି ପଡ଼ି ଶେଷରେ ଆଖି ବୁଜିଥିଲେ । ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ  ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣମୟୀ ଦାସଙ୍କୁ ହସ୍ତାନ୍ତର କରାଯାଇଥିଲା।
ସ୍ବାସ୍ଥ୍ୟକେନ୍ଦ୍ରର ଶବ ବାହାକ ଆମ୍ବୁଲାନ୍ସରେ ମୃତଦେହ ନିଜ ଗାଁ ନାଲବେଗିକୁ ନିଆଯାଇଛି। କୁଇବାହାଲ ହାଇସ୍କୁଲର ଶିକ୍ଷକ ସୋମନାଥ ଦଣ୍ଡସେନା, ପ୍ରସନ୍ନ କୁମାର ମେହେର, କୃଷ୍ଣଚନ୍ଦ୍ର ବାରିକ, ଖଗେଶ୍ୱର ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ପୁଟେଲ, ଥବିର କୁମ୍ଭାର, ଗ୍ରାମର ଭଦ୍ରବ୍ୟକ୍ତି  ଓ  ମୁନା ମହାନ୍ତିଙ୍କ  ସହଯୋଗରେ  ମୃତଦେହ ନାଲବେଗି ଗ୍ରାମକୁ ପଠାଯିବା ବ୍ୟବସ୍ଥା କରାଯାଇଥିଲା।
ରୋଗୀ କଲ୍ୟାଣ ସମିତି ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନିର୍ଦ୍ଦେଶ ପରେ ଧର୍ମାନନ୍ଦ ଯୁଏଡ ଏବଂ ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ। ଏ ନେଇ କଣ୍ଟାବାଞ୍ଜି ଥାନାରେ ନଂ. ୧୪/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା  ସବ୍‌ ଇନ୍ସପେକ୍ଟର ସୁବାସ ପଶାୟତ ଓ ଏଏସ୍‌ଆଇ  ଏ.କେ.ପ୍ରଧାନଙ୍କଠାରୁ ପ୍ରକାଶ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share