ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ଓହ୍ଲାଇ ବିଶ୍ୱରେ ପ୍ରଥମ ଦେଶ ଭାବେ ଇତିହାସ ରଚି ସାରିଛି। ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଶ୍ୱର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଭାରତର ୩ବଡ କମ୍ପାନୀ ଏଣ୍ଟ୍ରି କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ଏହି ୩ବଡ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକାଲ(ଏଚଏଏଲ), ଭାରତ ଇଲୋକ୍ଟ୍ରନିକ୍ସ(ବିଇଏଲ) ଓ ମଜାଗୋନ ଡକ୍ସ(ଏମଡିଏଲ) ବିଶ୍ୱର ଅସ୍ତ୍ରଶସ୍ତ୍ର ତିଆରି କରିବା ଭୂମିକାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।

ଋଷିଆ-ୟୁକ୍ରେନ ସଂଘର୍ଷ ଓ ଇସ୍ରାଏଲ-ହମାସ ଯୁଦ୍ଧ ପରେ ଦେଶରେ ଯୁଦ୍ଧାସ୍ତ୍ରର ଚାହିଦା ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ୧୦୦ କମ୍ପାନୀ ୨୦୨୨ର ୫୯୭ବିଲିୟନ ଆମେରିକା ଡଲାରର ଯୁଦ୍ଧାସ୍ତ୍ର ବିକ୍ରି କରିଛନ୍ତି। ହତିଆର ପ୍ରସ୍ତୁତ କରୁଥିବା କମ୍ପାନୀ ମଧ୍ୟରେ ଦୁନିଆରେ କେବେ ଆମେରିକା ଓ ଚାଇନାର ଦବଦବା ଥିଲା। ମହାକାଶ ବିଜ୍ଞାନରେ ବଡ ସଫଳତା ପାଇବା ପରେ ଏବେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରୁଥିବା ଟପ୍‌ କମ୍ପାନୀ ମଧ୍ୟରେ ଭାରତ ସାମିଲ୍‌ ହୋଇଛି।

ହତିଆର ବିକ୍ରି ମାମଲାରେ ଭାରତୀୟ କମ୍ପାନୀ ଏଚଏଏଲ ୩.୪ବିଲିୟନର ଯୁଦ୍ଧାସ୍ତ୍ର ବିକ୍ରି କରି ୪୧ନମ୍ବର ସ୍ଥାନରେ ଅଛି। ସେହିପରି ବିଇଏଲ ୧.୯ବିଲିୟନର କାରବାର କରି ୬୩ତମ ସ୍ଥାନରେ ଓ ଏମଡିଏଲ ୧ବିଲିୟନ ଡଲାର ବ୍ୟବସାୟ କରି ୮୯ତମ ସ୍ଥାନରେ ଅଛି।

Share