ଅନୁଗୋଳ ଅଫିସ, ୫।୧୨
ଶିଳ୍ପ ରାଜଧାନୀ ଅନୁଗୋଳରେ ପଥ ହୁଡ଼ିନି ଚାଷ। ଖଣି ଖାଦାନ ଭରା ଏହି ଜିଲାର ଚାଷୀ ଏବେ ବି ଭଲ ଲାଭ କମାଉଛନ୍ତି କୃଷି କ୍ଷେତ୍ରରୁ। ତେବେ ପାରମ୍ପରିକ ପରିବର୍ତ୍ତେ ଅନେକେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରୁଛନ୍ତି। ସେମାନଙ୍କୁ ଏଥିପାଇଁ ସାହାଯ୍ୟ କରୁଛି ଜିଲା କୃଷି ବିଜ୍ଞାନ କେନ୍ଦ୍ର(କେଭିକେ)। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଡବଲ୍ ଫାରମର୍ସ ଇନ୍କମ୍ (ଡିଏଫ୍ଆଇ) କାର୍ଯ୍ୟକ୍ରମ ଜରିଆରେ କେଭିକେ ଏହି ସହଯୋଗ ଜାରି ରଖିଛି। ଜିଲାର ୫ଟି ଗ୍ରାମକୁ କେଭିକେ ପୋଷ୍ୟ ଭାବେ ଗ୍ରହଣ କରି ଆବଶ୍ୟକ ତାଲିମ ପ୍ରଦାନ କରୁଥିବାରୁ ଚାଷୀମାନଙ୍କ ଆୟ ବଢ଼ିପାରିଥିବା ସୂଚନା ମିଳିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷରୁ ଡିଏଫ୍ଆଇ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଅଧିକ ଉପତ୍ାଦନ ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଅନୁଗୋଳ ଜିଲାରେ ଏହି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି। ଜିଲା କୃଷି ବିଜ୍ଞାନ କେନ୍ଦ୍ର ପ୍ରଥମେ ଦୁଇଟି ଗ୍ରାମ ଅନୁଗୋଳ ବ୍ଲକର ରଗୁଡ଼ିଆପଡ଼ା ଓ ତଳଗଡ଼କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲା। ପରେ ବଅଁରପାଳ, ଛେଣ୍ଡିପଦା ଓ ଆଠମଲ୍ଲିକ ବ୍ଲକର ଗୋଟିଏ ଲେଖାଏ ଗ୍ରାମକୁ ପୋଷ୍ୟ କରିଛି। ପ୍ରଥମେ ରଗୁଡ଼ିଆପଡ଼ାର ୫ ଜଣ ଓ ତଳଗଡ଼ର ୫ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଚାଷ ପ୍ରଣାଳୀ, ଅତ୍ୟାଧୁନିକ ଜ୍ଞାନକୌଶଳ, ଚାରା/ମଞ୍ଜି ବିଶୋଧନ, ରୋଗ ଓ ମାଟି ପରିଚାଳନା, ଜୈବିକ ପଦ୍ଧତି, ଚାଷର ବଜାର ଅଭିମୁଖ୍ୟ, ଫସଲ ସଂରକ୍ଷଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ମୋବାଇଲ ଯୋଗେ ଚାଷୀଙ୍କୁ ଉପଦେଶ ଦିଆଯିବା ସହ ଚାଷ ଅଞ୍ଚଳ ବୈଜ୍ଞାନିକମାନେ ପରିଦର୍ଶନ କରି ଫସଲର ଅନୁଧ୍ୟାନ କରିଥିଲେ। ଫଳରେ ସମ୍ପୃକ୍ତ ଚାଷୀମାନେ ଉପତ୍ାଦନ ଦୁଇଗୁଣା କରିପାରିଛନ୍ତି। ରଗୁଡ଼ିଆପଡ଼ାର ବସନ୍ତ ପ୍ରଧାନ, ବିଭୂତି ପ୍ରଧାନ, ଦାଶରଥି ଦେହୁରୀ ପ୍ରମୁଖ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଉପକୃତ ହେଉଛନ୍ତି। ବିଭୂତି ୭ ଏକର ଜମିରେ ଟ୍ରେଲି ଡ୍ରେନେଜ୍ ପଦ୍ଧତିରେ ଅର୍କା ରକ୍ଷକ କିଷମ (୩ ସ୍ତରୀୟ ରୋଗ ପ୍ରତିରୋଧକ ଶକ୍ତି ଥିବା) ଟମାଟର ସହ ଲାଉ, ଫୁଲ କୋବି, ବନ୍ଧା କୋବି, ପୋଟଳ ଓ କଲରା ଆଦି ଚାଷ କରୁଛନ୍ତି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସେ ୨ ଲକ୍ଷ ଟଙ୍କାର ଲାଉ ବ୍ୟବସାୟ କରିଥିବା ଜଣାପଡ଼ିଛି।
ସେହିପରି ତଳଗଡ଼ର ମାୟାଧର ପ୍ରଧାନ, କୃତ୍ତିବାସ ବିଶ୍ୱାଳ, ଶାନ୍ତିଲତା ସାହୁ, ଶୈଳ ପ୍ରମୁଖ ଛତୁ, ଅମୃତଭଣ୍ଡା, କୁକୁଡ଼ା, ବତକ, ରଙ୍ଗିନ ମାଛ ଆଦି ଚାଷ କରୁଛନ୍ତି। ଶାନ୍ତିଲତା ବର୍ଷକୁ ୧ ଲକ୍ଷ ଟଙ୍କାର ଛତୁ ବିକ୍ରି କରୁଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣିତ କରି ରାଜ୍ୟରେ ପ୍ରଥମ ହେବାକୁ ଅନୁଗୋଳ କେଭିକେ ଲକ୍ଷ୍ୟ ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ଲଳିତ ମୋହନ ଗଡ଼ନାୟକ ରଗୁଡ଼ିଆପଡ଼ା ଓ ତଳଗଡ଼ର କୃଷିକ୍ଷେତ୍ର ପରିଦର୍ଶନ କରିଥିଲେ। ଉନ୍ନତ ଚାଷ ପାଇଁ ସେ କୃଷକ, କେଭିକେ ବୈଜ୍ଞାନିକ ଓ ଟେକ୍ନିକାଲ ଟିମ୍କୁ ପ୍ରଶଂସା କରିଥିଲେ। ଅଧିକରୁ ଅଧିକ ଜମିରେ ଏପରି ଚାଷ କରିବାକୁ ନିର୍ଦ୍ଦେଶକ ଗଡ଼ନାୟକ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କେଭିକେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ବିନିତା ଶତପଥୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଆଦର୍ଶ ଜିଲା ହୋଇପାରିବ ଅନୁଗୋଳ
ପୋଷ୍ୟ ଗ୍ରାମର ଚାଷୀଙ୍କୁ ବିଭିନ୍ନ ସମୟରେ କେଭିକେକୁ ଡକାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବୈଜ୍ଞାନିକମାନେ ମଧ୍ୟ ଚାଷୀଙ୍କ କ୍ଷେତକୁ ଯାଇ ଫସଲ ଅନୁଧ୍ୟାନ କରୁଛନ୍ତି। ୨୦୨୨ରେ ଡିଏଫ୍ଆଇର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ବେଳେ ଏଥିରେ ଜିଲା କିଭଳି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ସେ ନେଇ କାର୍ଯ୍ୟ ଚାଲୁ ରହିଛି।
-ଡ. ବିନିତା ଶତପଥୀ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କେଭିକେ, ଅନୁଗୋଳ
ଚାଷର ଠିକଣା ମାର୍ଗ ପାଇଛୁ
ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲୁ। କିନ୍ତୁ କେଭିକେ ଯୋଗୁ ନୂତନ ଜ୍ଞାନ କୌଶଳ ପାଇପାରିଛୁ। ଉପତ୍ାଦନ ମଧ୍ୟ ଦ୍ୱିଗୁଣିତ ହୋଇପାରିଛି। ଫସଲ ଉତ୍ପାଦନ ସହ କିପରି ବଜାରରେ ବିକ୍ରି ଓ ସଂରକ୍ଷଣ କରାଯିବ ସେ ସମ୍ପର୍କରେ ଅବଗତ ହୋଇଛୁ। ବହୁ ଚାଷୀ ଆମଠାରୁ ଚାଷ ପ୍ରଣାଳୀ ବୁଝିଯାଉଥିବାରୁ ଖୁସି ଲାଗୁଛି।
-ବିଭୂତି ପ୍ରଧାନ, ଚାଷୀ, ରଗୁଡ଼ିଆପଡ଼ା
ଅଞ୍ଚଳ ଗର୍ବ ଅନୁଭବ କରୁଛି
ଅନୁଗୋଳ କେଭିକେ ଯୋଗୁ ତଳଗଡ଼ର ମହିଳା ଚାଷୀମାନେ ଆୟ ବଢ଼ାଇ ପାରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରୁଛୁ। ବହୁ ବଡ଼ ଅଧିକାରୀ ଆମ ଅଞ୍ଚଳକୁ ଆସି ଚାଷ କାର୍ଯ୍ୟ ଦେଖି ଯାଉଉଛନ୍ତି। ଫସଲ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ଅତ୍ୟାଧୁନିକ ଚାଷ ପାଇଁ ଆମ ଅଞ୍ଚଳ ଗର୍ବ ଅନୁଭବ କରୁଛି।
-ଶାନ୍ତିଲତା ସାହୁ, ଚାଷୀ, ତଳଗଡ଼
କୃଷି ବିଭାଗର ଆନ୍ତରିକତା ନାହିଁ
କୃଷକଙ୍କ ଉନ୍ନତି ପାଇଁ ଜିଲା କୃଷି ବିଭାଗର ଆନ୍ତରିକତା ନାହିଁ। ଚାଷୀ କିଭଳି କୃଷି ସାମଗ୍ରୀ ସୁବିଧାରେ ଓ ସବ୍ସିଡିରେ ପାଇପାରିବେ ସେ ନେଇ ସଚେତନତା ସୃଷ୍ଟି କରାଯାଉ ନାହିଁ। କେବଳ ପଞ୍ଚାୟତଗୁଡ଼ିକରେ ଫଟୋ ଉଠାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ବିଭାଗ କାର୍ଯ୍ୟ ସାରିଦେଉଛି। ରାଜ୍ୟ ସରକାରଙ୍କ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚିପାରୁନି।
-ସଞ୍ଜୟ ସାହୁ, ଏଆଇକେକେଏମ୍ଏସ୍ ଜିଲା ସଦସ୍ୟ
ଚାଷୀ ପରିଚୟପତ୍ର ଥିଲେ ସୁବିଧା ମିଳିବ
ସମସ୍ତଙ୍କ ପାଇଁ ସବ୍ସିଡି ବ୍ୟବସ୍ଥା କରାଯାଇଛି। ଯେଉଁ ଚାଷୀମାନଙ୍କ ପରିଚୟପତ୍ର ଥିବ, ସେମାନେ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ପାଇପାରିବେ। ଏପରି କି ମଞ୍ଜି କିଣିବା ଠାରୁ ଆରମ୍ଭ କରି ସାର, କୃଷି ଉପକରଣ ସବ୍ସିଡିରେ ନେଇପାରବେ। କେବଳ ପୋଷ୍ୟ ଗ୍ରାମ ନୁହେଁ, ସମସ୍ତ ଚାଷୀଙ୍କୁ ଏହି ସୁବିଧା ମିଳିବ।
-ବସନ୍ତ କୁମାର ସାହୁ, କୃଷି ଉପନିର୍ଦ୍ଦେଶକ, ଅନୁଗୋଳ