ଆୟକର ଅଧିକାରୀ ଗିରଫ: ୫ ଲକ୍ଷ ଲାଞ୍ଚ ନେଇ ପଡ଼ିଥିଲେ ଧରା

ଖୋର୍ଦ୍ଧା ଅଫିସ,୨୫।୯: ଜଣେ ସୁନା ଦୋକାନୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶନିବାର ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁ ସିବିଆଇ ହାତରେ ଧରାପଡିଥିଲେ। ରବିବାର ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବ ବୋଲି ସିବିଆଇ, ନୂଆଦିଲ୍ଲୀ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷେ ରବିବାର ମଧ୍ୟାହ୍ନରେ ପୁଣି ଏକ ୫ଜଣିଆ ଟିମ୍‌ ଅଭିଯୁକ୍ତଙ୍କ ବାସଭବନରେ ଚଢାଉ କରି ଯାଞ୍ଚ ଚଳାଇଛିି।
ସିବିଆଇ ସୂଚନା ମୁତାବକ, ଖୋର୍ଦ୍ଧା ମାରୱାଡି ପଟିସ୍ଥିତ ଶାନ୍ତି ସୁନା ଅଳଙ୍କାର ଦୋକାନ ସର୍ଭେ ନ କରିବା ପାଇଁ ମାଲିକଙ୍କଠାରୁ ୩୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ରାଶି ତୁରନ୍ତ ପ୍ରଦାନ ନ କଲେ, ସେ ଦୋକାନରେ ଚଢାଉ କରିବେ ବୋଲି ଧମକ ଦେଇଥିଲେ। ଦୋକାନ ମାଲିକ ଦୁଇଟି କିସ୍ତିରେ ଟଙ୍କା ଦେବେ ବୋଲି ରାଜି ହୋଇଥିଲେ। ଏ ନେଇ ସୁନା ଦୋକାନ ମାଲିକ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସିବିଆଇ ଜାଲ ବିଛାଇଥିଲା। ମଙ୍ଗଳବାର ଅପରାହ୍ନରେ ଯୋଜନା ମୁତାବକ ଅଭିଯୁକ୍ତ ସାହୁ ଶ୍ରୀରାମନଗରସ୍ଥିତ ବାସଭବନରେ ଅଭିଯୋଗକାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଦୀର୍ଘ ସମୟ ଧରି ଜେରା ପରେ ତାଙ୍କୁ ଭୁବନେଶ୍ବର ଅଫିସକୁ ନେଇଯାଇଥିଲେ। ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲେ।

Share