Categories: ଜାତୀୟ

ବରଯାତ୍ରୀ ସାଜି ଆୟକର ଚଢ଼ାଉ

ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍‌ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି ଟଙ୍କା, ୩୨ କିଲୋଗ୍ରାମ ସୁନା ସମେତ ୩୯୦ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରିଛନ୍ତି। ଆୟକର ବିଭାଗ ନାସିକ୍‌ ଶାଖାର ଅଧିକାରୀମାନେ ବରଯାତ୍ରୀ ଗାଡ଼ିରେ ଆସି ଅଚାନକ ଇସ୍ପାତ ଓ ପୋଷାକ ବ୍ୟବସାୟୀ ତଥା ରିଅଲ ଇଷ୍ଟେଟ ଡେଭେଲପର ବିମଲ ରାଜ ବୋରା ଓ ଡିଲର ପ୍ରଦୀପ ବୋରାଙ୍କ ଘର ଉପରେ ଅଗଷ୍ଟ ପ୍ରଥମ ସପ୍ତାହରୁ ଚଢ଼ାଉ ଜାରି ରଖିଥିଲେ। ଜବତ ଟଙ୍କାକୁ ଗଣିବା ପାଇଁ ୧୩ ଘଣ୍ଟା ସମୟ ଲାଗିଥିଲା ଓ ଏଥିରେ ୧୨ଟି ମେଶିନ୍‌କୁ ନିୟୋଜିତ କରାଯାଇଥିଲା। ୨୬୦ ଜଣ ଅଫିସର ଓ କର୍ମଚାରୀ ୫ଟି ଗ୍ରୁପ୍‌ରେ ଆସି ଏକସଙ୍ଗେ ବିଭିନ୍ନ ସ୍ଥାନରେ ଖାନ୍‌ତଲାସି ଚଳାଇଥିଲେ। ଚଢ଼ାଉରେ ୧୨୦ରୁ ଅଧିକ ଗାଡ଼ି ନିୟୋଜିତ ଥିଲା। ଫାଇନାନ୍ସର ବିମଲ ରାଜ ବୋରା ଏବଂ ଡିଲର ପ୍ରଦୀପ ବୋରାଙ୍କର ଏସ୍‌ଆର୍‌ ଷ୍ଟିଲ୍‌, କାଲିକା ଷ୍ଟିଲ, ଗୋଟିଏ କୋ-ଅପରେଟିଭ୍‌ ବ୍ୟାଙ୍କ ରହିଛି। ଜବତ ହୋଇଥିବା ଟଙ୍କାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଅର ନାସିକ୍‌ ଶାଖାକୁ ନିଆଯାଇଥିଲା। ସେଠାରେ ସକାଳ ୧୧ଟାରୁ ଟଙ୍କା ଗଣା ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଷ୍ଟିଲ୍‌ କମ୍ପାନୀଗୁଡ଼ିକରେ ଅନିୟମିତତା ଚାଲିଥିବା ଖବର ମିଳିବା ପରେ ଚଢ଼ାଉ କରାଯାଇଥିଲା।

Share