ଡିଏନ୍‌ ଗ୍ରୁପ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ଆୟକର ବିଭାଗ ପକ୍ଷରୁ ଓଡ଼ିଶାର ବଡ଼ ରିଏଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ବୁଧବାର ଚଢ଼ାଉ କରାଯାଉଛି। ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ସଂସ୍ଥାର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦିଶ୍‌ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଏହି ଚଢ଼ାଉ କରାଯାଉଛି। ତେବେ ଏହି ଚଢ଼ାଉ ବେଳେ ଭୁବନେଶ୍ୱର ୟୁନିଟ-୪ ଅନ୍ତର୍ଗତ ପୋଷ୍ଟାଲ ଓ ବିଏସ୍‌ଏନ୍‌ଏଲ୍‌ କଲୋନୀସ୍ଥିତ ଜଣେ କର୍ମଚାରୀଙ୍କ ଭଡ଼ା ଘରୁ ଆୟକର ବିଭାଗ ପ୍ରାୟ ୩୦ କୋଟି ଟଙ୍କା ଜବତ କରିଛି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଡିଏନ୍‌ ଗ୍ରୁପର କର୍ମଚାରୀ ଜଣଙ୍କ ହେଲେ ଚନ୍ଦ୍ରଶେଖର ପଣ୍ଡା। ଚନ୍ଦ୍ରଶେଖର ରହୁଥିବା ସରକାରୀ ବାସଭବନ ତାଙ୍କ ବାପାଙ୍କର, ଯିଏ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ରେ ଚାକିରି କରୁଥିଲେ। ହେଲେ ଉକ୍ତ ବାସଭବନ ଚନ୍ଦ୍ରଶେଖରଙ୍କ ସ୍ବର୍ଗତ ମା’ଙ୍କ ନାମରେ ଥିବାବେଳେ ତାହାକୁ ସେ ଛାଡ଼ି ନ ଥିବା ସୂଚନା ମିଳିଛି। ତେବେ ଉକ୍ତ ବାସଭବନ ପଛପଟେ ଏକ ଘରକୁ ଭଡ଼ାସୂତ୍ରରେ ନେଇଥିଲେ ଚନ୍ଦ୍ରଶେଖର। ବୁଧବାର ପୋଲିସ ଉପସ୍ଥିତିରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଏହି ଚଢ଼ାଉ ହୋଇଥିଲା। ପୋଷ୍ଟାଲ ଓ ବିଏସ୍‌ଏନ୍‌ଏଲ୍‌ କଲୋନୀସ୍ଥିତ ଚନ୍ଦ୍ରଶେଖରଙ୍କ ଘରକୁ ଆୟକର ଟିମ୍‌ ଅଧିକ ଯାଞ୍ଚ କରିଥିଲା। ତେବେ ଉକ୍ତ ଭଡ଼ା ଘରକୁ ଯାଞ୍ଚ କରିବା ସମୟରେ ଆୟକର ଟିମ୍‌ ୩ଟି ଟ୍ରଙ୍କ୍‌ ଓ ଗୋଟିଏ ଆଟାଚ୍‌ ପାଇଥିଲେ। ସେଗୁଡ଼ିକୁ ଖୋଲିବା ପରେ ପ୍ରାୟ ୩୦ କୋଟି ଟଙ୍କା ଥିବା ଜଣାପଡ଼ିଥିଲା।

Share