Advertisement

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର ଫାଙ୍କୁଥିବା ସନ୍ଦେହରେ ବିଭାଗର ୭ଜଣିଆ ଦୁଇଟି ଟିମ୍‌ ଉଭୟ ବ୍ୟବସାୟୀଙ୍କ ପାରଳାଖେମୁଣ୍ଡି ସହରର ଶୁଣ୍ଡିସାହିସ୍ଥିତ ଘରେ ଅତର୍କିତ ଚଢ଼ାଉ କରିଥିଲେ। ଦୁଇ ବ୍ୟବସାୟୀଙ୍କ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ରହିଥିବାର ପ୍ରମାଣ ଆୟକର ବିଭାଗ ହାତରେ ଲାଗିଛି। ପୂର୍ବରୁ ଏହି ଦୁଇ ବ୍ୟବସାୟୀଙ୍କ ବାପାଙ୍କ ଅମଳରୁ ମଦ ବ୍ୟବସାୟ ମୁଖ୍ୟ ହୋଇଥିବା ବେଳେ ଏବେ କାଠ, ଘୋରାଇ ନିର୍ମାଣ ସାମଗ୍ରୀ ଦୋକାନ, ବାର୍‌, ଜମିଜମା, ବସ୍‌ ଓ ଆନ୍ଧ୍ରରେ କେତେକ ସ୍ଥାନରେ ବିଭିନ୍ନ ବ୍ୟବସାୟରେ ଦୁଇ ଭାଇଙ୍କ ସମ୍ପୃକ୍ତି ରହିଛି।

ଲୋକେଶ୍ୱର ସାହୁକାରଙ୍କ ଘର ନିର୍ମାଣ ସାମଗ୍ରୀ ଦୋକାନ ଜାନକୀ ଟ୍ରେଡର୍ସ ଉପରେ ଚଢ଼ାଉ କରି ଦୋକାନର ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଅଧିକାରୀମାନେ ନେଇଥିବା ଜଣାପଡିଛି।

ଏହା ବ୍ୟତୀତ ତିରୁପତି ସାହୁକାରଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ଅଧିକାରୀମାନେ ତାଙ୍କ ଘରୁ ପୁରୁଣାପଟଣା ରୋଡରେ ଥିବା ଏସ୍‌କେ ବାର୍‌ ଓ ଗ୍ରୀନ ପାର୍କ ନାମକ ମଦ ଦୋକାନ, ଗାରାବନ୍ଧରେ ଥିବା ମଦ ଦୋକାନ ଏବଂ ଆନ୍ଧ୍ରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହ ଲିଙ୍କ୍‌ ଥିବା ସମସ୍ତ ତଥ୍ୟ ସମ୍ପର୍କିତ କାଗଜପତ୍ର ଜବତ କରିଛନ୍ତି। ଏଗୁଡିକୁ ଅନୁଧ୍ୟାନ କରିବା ପରେ ଉପରୋକ୍ତ ସ୍ଥାନଗୁଡିକ ଉପରେ ଚଢାଉ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଆୟକର ଅଧିକାରୀମାନଙ୍କୁ ପଚରାଯାଇଥିଲେ ମଧ୍ୟ ସେମାନେ ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share