Categories: ଜାତୀୟ

ଯୋଗ୍ୟ ଭିନ୍ନକ୍ଷମଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କର: ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ୨୬।୮(ପି.ଟି.): ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତୁରନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ କରି ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରିଛନ୍ତି। ଭିନ୍ନକ୍ଷମମାନେ ତୁରନ୍ତ ଯେପରି ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ହୋଇପାରିବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ବିଭାଗ, ବିଶେଷ କରି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ସଚିବମାନଙ୍କୁ କୁହାଯାଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦେଶର ୮୧ କୋଟି ଗରିବ ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କିଲୋଗ୍ରାମ ଖାଦ୍ୟଶସ୍ୟ ୧ରୁ ୩ ଟଙ୍କା ଦରରେ ଯୋଗାଇ ଦିଆଯାଉଛି। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସେମାନଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମାଗଣାରେ ଦିଆଯାଉଛି। ଭିନ୍ନକ୍ଷମମାନଙ୍କୁ ଏହି ଦୁଇଟି ଯୋଜନାରେ ସାମିଲ କରିବା ପାଇଁ ପୂର୍ବରୁ କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା। ଯେଉଁ ଭିନ୍ନକ୍ଷମ ଏପର୍ଯ୍ୟନ୍ତ ସାମିଲ ହୋଇନାହାନ୍ତି ସେମାନଙ୍କୁ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ତୁରନ୍ତ ସାନି ରାଶନ କାର୍ଡ ଯୋଗାଇ ଦେବାକୁ କୁହାଯାଇଛି।

Share