Categories: ଜାତୀୟ

ହିଟ୍‌ ଆଣ୍ଡ ରନ୍‌ କ୍ଷତିପୂରଣ ବଢ଼ାଅ

ନୂଆଦିଲ୍ଲୀ,୧୫।୧(ପି.ଟି.): ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାର ୮ ସପ୍ତାହ ମଧ୍ୟରେ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରିଛନ୍ତି।
ମୋଟର ଯାନ ଆଇନ, ୧୯୮୮ର ବ୍ୟବସ୍ଥା ଅନୁଯାୟୀ ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ରହିଛି। ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ଅଧିକ କ୍ଷତିପୂରଣ ନିର୍ଦ୍ଧାରଣ କରିପାରିବେ ବୋଲି ସେଥିରେ ଉଲ୍ଲେଖ ରହିଛି। ଉକ୍ତ କ୍ଷତିପୂରଣ ଯୋଜନା ସମ୍ପର୍କରେ ପୋଲିସ ଦୁର୍ଘଟଣାରେ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଜଣାଇବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜଷ୍ଟିସ୍‌ ଏ.ଏସ୍‌. ଓକା ଏବଂ ପଙ୍କଜ ମିଥଲଙ୍କ ଖଣ୍ଡପୀଠ କହିଥିଲେ, ୨୦୧୬ରେ ୫୫,୯୪୨ ହିଟ୍‌ ଆଣ୍ଡ ରନ୍‌ ମାମଲା ଘଟିଥିବାବେଳେ ୨୦୨୨ରେ ତାହା ୬୭,୩୮୭କୁ ବୃଦ୍ଧି ପାଇଥିବା ସଡ଼କ ପରିବହନ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଗତ ୫ ବର୍ଷରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୬୬୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧୧୩ ଜଣ ଆହତ ହୋଇଛନ୍ତି। କ୍ଷତିପୂରଣ ବାବଦରେ ୧୮୪.୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ ଜଣାଇଥିଲା। ଖୁବ୍‌ କମ୍‌ ମୃତାହତଙ୍କ ପରିବାର କ୍ଷତିପୂରଣ ପାଇଥିବା ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। କ୍ଷତିପୂରଣ ଯୋଜନା ସମ୍ପର୍କରେ ମୃତାହତଙ୍କ ପରିବାର ଜାଣି ନ ଥିବା ଯୋଗୁ ଏପରି ହୋଇଥାଇପାରେ ବୋଲି ଖଣ୍ଡପୀଠ କହିଥିଲେ। ଟଙ୍କାର ମୂଲ୍ୟ ଇତିମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ତେଣୁ କ୍ଷତିପୂରଣ ରାଶି ବଢ଼ାଇବା ନିମନ୍ତେ ସରକାର ବିଚାର କରିବା ପାଇଁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ।

Share