Categories: ବାଣିଜ୍ୟ

ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାରର ବୃଦ୍ଧି

ମୁମ୍ବାଇ,୭।୨: କରୋନା ମହାମାରୀ ଭଳି ଏକ ମାନ୍ଦାବସ୍ଥା ସମୟରେ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବୃଦ୍ଧି ପାଇ ୫୯୦ ବିଲିୟନ ଆମେରିକାନ ଡଲାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ପ୍ରାୟ ୧୧୯ ବିଲିୟନ ଡଲାର ଅଭିବୃଦ୍ଧି ପାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଆମେରିକାନ ଡଲାର ରହିଛି। ଫଳରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ସମୟରେ ମୋଟ ବୈଦେଶିକ ଋଣ ପରିମାଣ ଠାରୁ ଅଧିକ ରହିଛି। ଶନିବାର ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭାରତ ବର୍ତ୍ତମାନ ନେଟ୍‌ କ୍ରେଡିଟରରେ ଭାବେ ଉଭା ହୋଇଛି। ଗୋଟିଏ ଦେଶ ନେଟ୍‌ କ୍ରେଡିଟର ହେବା ଅର୍ଥ ହେଉଛି, ସେ ଦେଶର ମୋଟ ବୈଦେଶିକ ଋଣ ଠାରୁ ବୈଦେଶିକ ମୁଦ୍ରା ଭଣ୍ଡାରର ପରିମାଣ ଉଚ୍ଚା ହେବା। ଏହା ଗୋଟିଏ ଦେଶର ଉତ୍ତମ ଆର୍ଥିକ ସ୍ଥିତି ଓ ବ୍ୟବସ୍ଥାକୁ ସୂଚାଇଥାଏ। ସେହିଭଳି ମୋଟ ବୈଦେଶିକ ଋଣ ଠାରୁ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ କମ ହେଲେ ଉକ୍ତ ଦେଶ ନେଟ୍‌ ଡେବିଟର ଭାବରେ ଗଣାଯାଇଥାଏ। ଏହା ସମ୍ଭବ ହୋଇଛି କେବଳ ଦେଶର ସ୍ବଚ୍ଛ ଶାସନ ଓ ଦୃଢ ନିୟମାବଳୀର ପ୍ରଚଳନ ଆଦି ପାଇଁ। ସେ ଆହୁରି କହିଛନ୍ତି ଯେ ଗତ ୪ମାସ ମଧ୍ୟରେ ଦେଶର ରେକର୍ଡ ସ୍ତର ଜିଏସଟି ଆଦାୟ ଏହା ଦର୍ଶାଉଛି ଯେ,ଦେଶର ଅର୍ଥନୀତି ଦ୍ରୁତ ଗତିରେ ସୁଧାର ହେଉଛି। କରୋନା ମହାମାରୀ ସମୟରେ ବି ଭାରତ ଏହି ରେକର୍ଡ ସ୍ତର ବୈଦେଶିକ ମୁଦ୍ରା ହାସଲ କରିପାରିଛି।

Share