ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ସଂଖ୍ୟା ଦ୍ୱିଗୁଣୀତ ହୋଇଛି। ପୂର୍ବରୁ ୧୭ଟି କ୍ଷେତ୍ରରେ ପୁରସ୍କାର ଦିଆଯାଉଥିବାବେଳେ ଏବେ ଏହା ୩୪କୁ ବୃଦ୍ଧି କରାଯାଇଛି। ପ୍ରଥମକରି ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ପାଇଁ ପ୍ରଚଳିତ ହେବ ଆଉ ୧୭ଟି ପୁରସ୍କାର। ଏ ସମ୍ପର୍କରେ ସୂଚନା ଦେଇ ଏକାଡେମୀ ସଚିବ ପ୍ରବୋଧ ରଥ କହିଛନ୍ତି, ପୂର୍ବରୁ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସର୍ବୋଚ୍ଚ ସମ୍ମାନ ବାବଦକୁ ୫ଲକ୍ଷ ଟଙ୍କା ଦିଆଯାଉଥିଲା। କିନ୍ତୁ ଏବେ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ନୂଆକରି ‘ଜାତୀୟ କଳିଙ୍ଗ କଳା ସମ୍ମାନ’ ପ୍ରଦାନ କରାଯିବ। ଏଥିପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ବାକି ସମସ୍ତ ଏକାଡେମୀ ସମ୍ମାନ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବ।
ଭାବେ ପୁରସ୍କାର ଘୋଷଣା ହୋଇଥିବା ବିଭାଗ ମଧ୍ୟରେ ସଙ୍ଗୀତରେ ଭକ୍ତି ସଙ୍ଗୀତ, ସଙ୍ଗୀତ ନିର୍ଦ୍ଦେଶକ, ମଞ୍ଚକଳା (ନାଟକ ସହିତ ସାମଗ୍ରିକ ଲୋକକଳା)ରେ ରୂପସଜ୍ଜା, କେଶ ବିନ୍ୟାସ ଓ ମଞ୍ଚ ପ୍ରସ୍ତୁତି ଏବଂ ଶବ୍ଦ ଓ ଆଲୋକ, କଳା ପାଣ୍ଡିତ୍ୟରେ ପ୍ରଦର୍ଶନ କଳା ଗବେଷକ, କଳା ସଙ୍ଗଠକ ଓ କଳା ସଙ୍ଗଠନ, ଆନଦ୍ଧ ବାଦ୍ୟ (ଶାସ୍ତ୍ରୀୟ)ରେ ତବଲା, ମର୍ଦ୍ଦଳ, ଆନଦ୍ଧ ବାଦ୍ୟ (ଲୋକବାଦ୍ୟ)ରେ କିରଣ ଯୁକ୍ତ, କିରଣ ବିଯୁକ୍ତ, ଲୋକ ସଙ୍ଗୀତରେ ପାଲା ଓ ଦାସକାଠିଆ ଏବଂ ଅଭିନୟରେ ମଞ୍ଚ ନାଟକ ଆଦି ରହିଛି। ଏଥିସହ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ପାରଦର୍ଶିତା ଥିବା ୮ଜଣ ବରିଷ୍ଠ କଳାକାରଙ୍କୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରାଯିବ। ଯେଉଁମାନେ ବିଭିନ୍ନ ସମ୍ମାନରୁ ବଞ୍ଚତ୍ତ ହୋଇଛନ୍ତି ଓ ଏସବୁ ପାଇବାଠୁ ବହୁ ଊଦ୍ଧର୍‌ବରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ମୋଟ ୮ ଲକ୍ଷ ପ୍ରଦାନ କରାଯିବ। ପୁରସ୍କାରରେ ସ୍ବଚ୍ଛତା ଲାଗି ପୂର୍ବରୁ ଯେମିତି ଆବେଦନ ପ୍ରକ୍ରିୟା ଥିଲା, ତାହା ରହିବ କିନ୍ତୁ ତାକୁ ଆଉ ଟିକେ ଉନ୍ନତ କରାଯିବାକୁ ପ୍ରୟାସ ଚାଲିଛି। ଏହାଛଡ଼ା ‘ଜାତୀୟ କଳିଙ୍ଗ କଳା ସମ୍ମାନ’ ପାଇଁ ୱେବ୍‌ସାଇଟ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରାଯିବ। ସ୍ବତନ୍ତ୍ର ସର୍ବଭାରତୀୟସ୍ତରର ଚୟନ କମିଟି ଦ୍ବାରା ଚୟନ କରାଯିବ। ଏକାଡେମୀର ଏହି ନିଷ୍ପତ୍ତିକୁ ସରକାରୀସ୍ତରରେ ଅନୁମୋଦନ ମିଳିସାରିଛି। ଖୁବ୍‌ଶୀଘ୍ର ପୁରସ୍କାର ପ୍ରଦାନ ପ୍ରକ୍ରିୟାର ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଚିବ ରଥ କହିଛନ୍ତି। ତେବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବୟସ ସୀମା ୫୫, ଏକାଡେମୀ ସମ୍ମାନ ବୟସ ସୀମା ୪୫ ଏବଂ ଯୁବ ସମ୍ମାନ ଓ ବରିଷ୍ଠ ସମ୍ବର୍ଦ୍ଧନା ବୟସ ସୀମା ୫୫ରୁ ଊଦ୍ଧର୍‌ବ ରହିଥିବା ସୂଚନା ଦିଆଯାଇଛି।

Share