ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି

ସମ୍ବଲପୁର,୧୧ା୧(ବ୍ୟୁରୋ): ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ହୋଇଥିବା ଦିନିକିଆ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ରେକର୍ଡ ସଂଖ୍ୟକ ଅର୍ଥାତ୍‌ ପୂର୍ବବର୍ଷ ଅପେକ୍ଷା ୧ଲକ୍ଷରୁ ଅଧିକ ପକ୍ଷୀ ଆସିଥିବା ରିପୋର୍ଟରୁ ଜଣାପଡିଛି। ଗତବର୍ଷ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ୬୩୪ ପକ୍ଷୀ ଆସିଥିବାବେଳେ ଚଳିତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀଙ୍କ ସମାଗମ ହୋଇଥିବା ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବାର୍ଡ ଟଏଲେଟ, ପିଅଡ ହେରିଅର, କରଲିଉ ସନଡିପର, କଟନ ପାଇଜାମି ଗୋସ, କ୍ୟାସପିଆ ଟ୍ରିନ, ବ୍ଲ୍ୟୁ ଟେଲେଡ ବି-ଇଟର, କ୍ରେଷ୍ଟେଡ ସେପଟ୍ରେନ ଇଗଲ, ଓଲି ନେକେଡ ଷ୍ଟର୍କ, ୟେଲୋ ବିଲ୍ଡ ଡକ୍‌, ପାଇନାଟ ଷ୍ଟକ ପ୍ରଜାତିର ପକ୍ଷୀଙ୍କୁ ନୂତନ ଭାବେ ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡକ୍‌ ପ୍ରଜାତିର ରେଡ୍‌ କ୍ରେଷ୍ଟେଟ ପୋଚାର୍ଡ, ଟୁଫେଡ୍‌ ଡକ୍‌, ବ୍ରାମିନି ଡକ୍‌, ନର୍ଦ୍ଦନ ପିନ୍‌ଷ୍ଟେଲ, ୟୁରୋଏସିଆନ, ଏସିଆନ ୱିଗନ, ଏସିଆନ ଓପନବିଲ, ଗ୍ରେ ହୀରୋନ, ପର୍ପଲ ହିରୋଜେନ, କେଟେଲ ଗ୍ରେଡ୍‌ ଆଦି ପକ୍ଷୀଙ୍କ ସମାଗମ ହୋଇଥିଲା। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡ଼ା ଜିଲା ପଟରୁ ମଧ୍ୟ ପକ୍ଷୀ ଗଣନାକାରୀ ଟିମ୍‌ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ରବିବାର ସକାଳ ୬ଟାରେ ୩୫ ଡଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ ଜଣ ବିଶେଷଜ୍ଞ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଏଥିପାଇଁ ୩୦ ଟିମ୍‌ ଗଠନ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଟିମ୍‌ ଗଣନା ସାରି କୂଳକୁ ଫେରିଆସିଥିଲେ। ସୂଚନାଯୋଗ୍ୟ, ୨୦୨୨ରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର, ୨୦୨୧ରେ ୮୬ ପ୍ରଜାତିର ୧ ଲକ୍ଷ ୨୪ ହଜାର, ୨୦୨୦ରେ ୮୨ ପ୍ରଜାତିର ୧ ଲକ୍ଷ ୩୪ ହଜାର ପକ୍ଷୀ ଜଳଭଣ୍ଡାରକୁ ଆସିଥିବା ବନ ବିଭାଗ ରିପୋର୍ଟରୁ ଜଣାପଡିଛି। ପ୍ରତିବର୍ଷ ଶୀତଋତୁରେ ହାରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।

Share