ଚାଇନାର ମୁକାବିଲା ଲାଗି ଆମେରିକା ପ୍ରତିରକ୍ଷା ବଜେଟରେ ବୃଦ୍ଧି: ୨୦୨୪ ପାଇଁ ୬୯ ଲକ୍ଷ କୋଟି…

ଓ୍ବାଶିଂଟନ,୨୯।୩ : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟର୍ଡ ଜେ.ଅଷ୍ଟିନ କହିଛନ୍ତି ଯେ ଚାଇନାର ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥିକ ବର୍ଷ ୨୦୨୪ର ବଜେଟରେ ପ୍ରତିରକ୍ଷା ପାଇଁ ବ୍ୟୟ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଆମେରିକା ବଜେଟରେ ୬୯ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଚାଇନାର ଆହ୍ବାନର ମୁକାବିଲା କରିବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମରିକ ଶକ୍ତି ବୃଦ୍ଧି ତଥା ଆମେରିକାର ସହଯୋଗୀମାନଙ୍କ ସହ ଅଧିକ ସାମରିକ ଅଭ୍ୟାସ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।

ଏହି କ୍ଷେତ୍ର ପାଇଁ ଆମେରିକା ପ୍ରତିରକ୍ଷା ବଜେଟକୁ ୪୦ ପ୍ରତିଶତ ବୃଦ୍ଧି କରିଛି ଏବଂ ଏହାକୁ ୯.୧ ବିଲିୟନ ଡ଼ଲାର ସ୍ଥିର କରିଛି। ଏହି ଅଞ୍ଚଳର ସୁରକ୍ଷା ପାଇଁ ଏହା ହେଉଛି ସର୍ବ ବୃହତ ବଜେଟ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟର ତିନୋଟି ପ୍ରାଥମିକତା ରହିଛି ଯେଉଁଥିରେ ଜାତୀୟ ସୁରକ୍ଷା, ସୈନିକ ଏବଂ ସେମାନଙ୍କ ପରିବାରର ଯତ୍ନ ନେବା ତଥା ସହଭାଗୀ ଦେଶମାନଙ୍କ ସହ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହା ଏକ ରଣନୀତିକ ବଜେଟ ଏବଂ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ତୁଳନାରେ ଆମେରିକା ଏହାର ପ୍ରତିରକ୍ଷା ବଜେଟକୁ ୧୩.୪ ପ୍ରତିଶତ ବୃଦ୍ଧି କରିଛି। ଏଥି ସହିତ, ୨୦୨୩ ବର୍ଷ ତୁଳନାରେ ବଜେଟକୁ ତିନି ପ୍ରତିଶତ ବୃଦ୍ଧି କରାଯାଇଛି।

Share