Categories: ବାଣିଜ୍ୟ

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ ବର୍ଷ ଅକ୍ଟୋବର ୨ ରୁ ମଜୁରି ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏପରିକି ସୂତା କଟାଳିଙ୍କ ମଜୁରି ୨୫% ଏବଂ ବୁଣାକାରଙ୍କ ମଜୁରି ୭% ବୃଦ୍ଧି କରାଯାଇଥିଲାବେଳେ ଏହି ବର୍ଦ୍ଧିତ ମଜୁରି ୨୦୨୪ ଅକ୍ଟୋବର ୨ରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ମୋଦି ସରକାର ୩.୦ର ୧୦୦ଦିନ ପୂରଣ ଅବସରରେ ପୂଜ୍ୟ ବାପୁଙ୍କ ଜନ୍ମସ୍ଥଳୀ ପୋରବନ୍ଦରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେଭିଆଇସି ଅଧ୍ୟକ୍ଷ ଏଭଳି ଘୋଷଣା କରିବା ସହ ବହୁ ଲକ୍ଷ ଖଦି କାରିଗର ଉପକୃତ ହେବେ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଅନ୍ତର୍ଗତ ୩୯୧୧ ହିତାଧିକାରୀଙ୍କ ଆକାଉଣ୍ଟରେ ୧୦୧ କୋଟି ଟଙ୍କା ଜମା କରାଯାଇଥିଲାବେଳେ ଭିଡିଓ କନ୍‌ଫରେନ୍ସରେ ୧୧୦୦ ନୂତନ ପିଏମ୍‌ଇଜିପି ଯ଼ୁନିଟ୍‌ ଉଦଘାଟନ କରାଯାଇଥିଲା। ଏହି ଅବସରରେ ଆସମାବତୀ ନଦୀକୂଳରେ ସ୍ଥାପିତ ୨୬ ଫୁଟ ଲମ୍ବ ଏବଂ ୧୩ଫୁଟ ଚଉଡ଼ା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସ୍ମାରକ ଚରଖା ମଧ୍ୟ ଅନାବରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମନୋଜ କହିଥିଲେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ୟ ଥର ପାଇଁ ସୂତା କଟାଳି ଏବଂ ବୁଣାକାରଙ୍କ ମଜୁରି ବୃଦ୍ଧି କରାଯାଇଛି। ୨୦୨୪ ଅକ୍ଟୋବର ୨ରୁ ସୂତା କଟାଳିଙ୍କୁ ଗୁଣ୍ଡି ପିଛା ୧୦ଟଙ୍କା ମଜୁରି ପରିବର୍ତ୍ତେ ୧୨.୫୦ଟଙ୍କା ମଜୁରି ମିଳିବ। ଏହା ପୂର୍ବରୁ ୨୦୨୩ ଏପ୍ରିଲ ୧ରେ ଏହାକୁ ୭.୫୦ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଖଦି କ୍ରାନ୍ତି ଦ୍ୱାରା ସୂତା କଟାଳି ଏବଂ ବୁଣାକାରମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଗତ ଆର୍ଥିକ ବର୍ଷରେ ଖଦିର କାରବାର ୧.୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି କାର୍ଯ୍ୟକ୍ରମରେ ଗୁଜରାଟର କେଭିଆଇସି ରାଜ୍ୟ କାର୍ଯ୍ୟାଳୟ ସହ ଜଡ଼ିତ ଖଦି ଅନୁଷ୍ଠାନର ପ୍ରତିନିଧି, ଖଦି ଶ୍ରମିକ, କାରିଗର ଏବଂ କେଭିଆଇସିର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Share