ଫୁଲୁଛି ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ;୪ ପ୍ରମୁଖ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି

ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଗୋଟିଏ ଡ୍ୟାମରୁ ଜଳ ନିଷ୍କାସନ କରାଯାଇ ନାହିଁ। ଡ୍ୟାମରୁ ନିଷ୍କାସିତ ପାଣି, ବର୍ଷା ପାଣି ପ୍ରଭାବରେ ରାଉରକେଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, କୋଏଲ ଓ ଶଙ୍ଖନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସହରର ନଦୀକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଉରକେଲାରେ ଗତ ତିନିଦିନ ମଧ୍ୟରେ ୩୬ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଜଳସେଚନ ବିଭାଗର ସୂଚନା ଅନୁସାରେ ରୁକ୍ରାଡ୍ୟାମ ଜଳସ୍ତର ୧୮୫.୦୨ ଘନମିଟର ଥିବାବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମ ଜଳସ୍ତର ୧୮୬.୦୩କୁ ବୃଦ୍ଧି ପାଇଛି। ଫଳରେ ରୁକ୍ରାଡ୍ୟାମ ୬ଟି ଗେଟରୁ ଗୋଟିଏ ଗେଟ୍‌ ଖୋଲି ଦିଆଯାଇଛି। ରୁକ୍ରା ଡ୍ୟାମ ଖୋଲା ଯାଇଥିବା ଗେଟରୁ ପ୍ରତି ସେକେଣ୍ଡରେ ୮୦ ଘନମିଟର ଜଳ ନିସ୍କାଷିତ ହୋଇ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହିଭଳି ଭାବରେ ପୀତାମହଲ ଡ୍ୟାମ ଜଳଧାରଣ କ୍ଷମତା ୨୪୨.୪୬ ଥିବାବେଳେ ଲଗାଣ ବର୍ଷାରେ ଡ୍ୟାମର ଜଳସ୍ତର ୨୪୩.୪୬କୁ ବୃଦ୍ଧି ପାଇଛି। ଏହି ଡ୍ୟାମ ଗେଟ ବିହୀନ ଥିବା କାରଣରୁ ବଳକା ପାଣି ଡ୍ୟାମରୁ ନିଷ୍କାସିତ ହୋଇ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। କାଂଶବାହାଲ ଡ୍ୟାମ ଜଳସ୍ତର ବୃଦ୍ଧି ପାଇଛି ହେଲେ ଜଳନିଷ୍କାସନ କଲାଭଳି ସ୍ଥିତି ସୃଷ୍ଟି ହୋଇନାହିଁ। ଏହିଭଳି ଭାବରେ ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ହେବା ହେତୁ ମନ୍ଦିରା ଡ୍ୟାମର ୧୧ଟି ଗେଟରୁ ୭ଗେଟ ମଙ୍ଗଳବାର ଖୋଲି ଦିଆଯାଇଛି। ବୁଧବାର ଜଳସ୍ତର ବଢିଥିଲେ ମଧ୍ୟ ଆଉ ଅଧିକ ଗେଟ ଖୋଲାଯାଇନାହିଁ। ତେବେ ଆଗକୁ ଅଧିକ ଗେଟ ଖୋଲାଯିବାର ସମ୍ଭାବନା ରହିଛି। ରାଉରକେଲା ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷା ହେତୁ ସ୍କୁଲ ଓ ଅଙ୍ଗନଓ୍ବାଡିର କୁନି ପିଲାଙ୍କର ସମସ୍ୟାକୁ ଦେଖି ଏହି ଜିଲାରେ ମଧ୍ୟ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା କରିବାକୁ ସହରର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ରାଉରକେଲା ଜଳସେଚନ ବିଭାଜନ ରୁକ୍ରା ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଔଲିୟମ ଏକ୍କା କୁହନ୍ତି, ଲଗାଣ ବର୍ଷାରେ ରୁକ୍ରା ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି। ଲଗାଣ ବର୍ଷା ଜାରି ରହିଲେ ଆଗକୁ ଆହୁରୀ ଗେଟ ଖୋଲାଯିବ। ଏନେଇ କାଂଶବାହାଲ ଡ୍ୟାମ ନିର୍ବାହୀ ଯନ୍ତ୍ରୀ କିଷାନ ବାବୁ କୁହନ୍ତି, ତିନିଦିନ ହେଲା ଲଗାଣ ବର୍ଷାରେ ଡ୍ୟାମ ଜଳସ୍ତର ବୃଦ୍ଧି ପାଇଛି। ଗେଟ ଖୋଲାଯାଇନାହିଁ। ଆଗକୁ ଗେଟ ଖୋଲାଯାଇପାରେ।

Share