ବୀରମହାରାଜପୁର କଲେଜରେ ଯୁକ୍ତ ଦୁଇ କଳା ସିଟ୍‌ ବୃଦ୍ଧି

ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସିଟ୍‌ ସଂଖ୍ୟା ବୃଦ୍ଧି ହୋଇଛି। କଲେଜର ଯୁକ୍ତ ଦୁଇ କଳାରେ ୬୪ଟି ସିଟ୍‌ ବୃଦ୍ଧି ହୋଇ ସମୁଦାୟ ୩୨୦ଟି ସିଟ୍‌ ହୋଇଥିବା ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମସ) ପୋର୍ଟାଲରୁ ଜଣାପଡ଼ିଛି। ପୂର୍ବରୁ ଉକ୍ତ କଲେଜରେ ଯୁକ୍ତ ଦୁଇ କଳାରେ ୨୫୬ଟି ଥିଲା। କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି ହେବା ପରେ ଛାତ୍ରୀଛାତ୍ର ଓ ଅଞ୍ଚଳର ଶିକ୍ଷାବିତ୍‌ଙ୍କ ଭିତରେ ଆନନ୍ଦର ଲହରି ଖେଳାଇ ଯାଇଛି। କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଅଞ୍ଚଳର ଛାତ୍ରୀଛାତ୍ର ଏଠାରେ ନାମ ଲେଖାଇ ଏହାର ଲାଭ ଉଠାଇବାକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡା. ହିମାଂଶୁ ଶେଖର ପାଢ଼ୀ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ନଂ ୭୭୬୪ ତା-୧୮.୭.୨୦୨୩ରେ ଏହା ଜଣାପଡ଼ିଥିଲେ ମଧ୍ୟ ସାମସ ପୋର୍ଟାଲରେ ବୁଧବାର ପ୍ରଦର୍ଶିତ ହୋଇଛି।