ଟେଷ୍ଟିଂ ବଢ଼ାଅ:ମୋଦି

ନୂଆଦିଲ୍ଲୀ, ୨୭।୬ : ଚଳିତ ସପ୍ତାହରେ ଦେଶରେ ଟିକାକରଣର ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ କୋଭିଡ୍‌ ପରୀକ୍ଷା ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟିକାକରଣ ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଟିକାକରଣରେ ଏନ୍‌ଜିଓଗୁଡ଼ିକୁ ସାମିଲ କରିବା ପାଇଁ ସେ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି। ୧୨୮ଟି ଜିଲାରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ୫୦ ପ୍ରତିଶତ ଲୋକ ଟିକା ନେଇଥିବା ଏବଂ ଆଗାମୀ ଦିନରେ ଟିକା ଯୋଗାଣ ବଢ଼ାଯିବା ନେଇ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଓ ସଂକ୍ରମଣ କମାଇବା ଲାଗି କୋଭିଡ୍‌ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ସେଥିପାଇଁ ଦୈନିକ ପରୀକ୍ଷାକୁ ଆହୁରି ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସମୀକ୍ଷା ବୈଠକରେ ପିଏମ୍‌ଓର ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ଉପସ୍ଥିତ ଥିଲେ।

Share