ଭୁବନେଶ୍ୱର,୧୯ା୪(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଉନ୍ନୟନ କାଉନସିଲ୍ (ଡବ୍ଲ୍ୟୁଓଡିସି) ଅନ୍ତର୍ଗତ ସମସ୍ତ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ରାଶିକୁ ବୃଦ୍ଧି କରିବା ପାଇଁ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନେଇ ଲେଖାଥିବା ଚିଠିରେ ଉଲ୍ଲେଖ ଅଛି ଯେ, ଡବ୍ଲ୍ୟୁଓଡିସି ପାଇଁ ପୂର୍ବରୁ ବାର୍ଷିକ ୧୦୦ କୋଟି ଟଙ୍କାର ବଜେଟ ଥିବାବେଳେ କାଉନସିଲ୍ ଅନ୍ତର୍ଗତ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ପ୍ରତି ବିଧାୟକଙ୍କୁ ବାର୍ଷିକ ୧ କୋଟି ଟଙ୍କା ପ୍ରଦାନ କରାଯାଉଥିଲା ।
ବର୍ତ୍ତମାନ ଏହି ବଜେଟ ବାର୍ଷିକ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ସ୍ଥାନୀୟ ଅଞ୍ଚଳର ବିକାଶ କାର୍ଯ୍ୟ ପାଇଁ କାଉନସିଲ୍ ଅନ୍ତର୍ଗତ ପ୍ରତ୍ୟେକ ୩୭ ଜଣ ବିଧାୟକଙ୍କୁ ପ୍ରତିବର୍ଷ ଅତି କମ୍ରେ ୫ କୋଟି ଟଙ୍କା ପ୍ରଦାନ କରିବାକୁ ଭାଜପା ବିଧାୟକମାନେ ଦାବି କରିଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଓ ବାସିନ୍ଦାମାନେ ଅଧିକ ଲାଭାନ୍ବିତ ହେବା ସହିତ ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।