Categories: ବାଣିଜ୍ୟ

ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ା ବୃଦ୍ଧି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ାରେ ୩୦% ଯାଏ ବୃଦ୍ଧି ହୋଇଛି। ବିଭିନ୍ନ ରୁଟ୍‌ରେ ଯାତ୍ରା ଲାଗି ସରକାର ସର୍ବନିମ୍ନ ଏବଂ ସର୍ବୋଚ୍ଚ ଭଡ଼ା କ୍ଷେତ୍ରରେ ପ୍ରାୟ ୩୦% ବୃଦ୍ଧି କରିଛନ୍ତି। ସେହିଭଳି ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିମାନ କମ୍ପାନୀଗୁଡିକ ୮୦ % ପର୍ଯ୍ୟନ୍ତ କ୍ଷମତାରେ ସେବା ଯୋଗାଣ କରିପାରିବେ। ସର୍ବନିମ୍ନ ଭଡ଼ା କ୍ଷେତ୍ରରେ ୧୦% ଏବଂ ସର୍ବୋଚ୍ଚ ଭଡ଼ା କ୍ଷେତ୍ରରେ ଗ୍ରାହକ ୩୦% ଯାଏ ଅତିରିକ୍ତ ଦେବାକୁ ପଡିବ ବୋଲି ସୂଚନା ମିଳିଛି। ଭଡ଼ା ନିୟମରେ ପରିବର୍ତ୍ତନ ହେବା ପରେ ବର୍ତ୍ତମାନ ନୂଆଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଭଡ଼ା ୩୯୦୦ରୁ ୧୩ ହଜାର ଯାଏ ରହିବ। ପୂର୍ବରୁ ଏହା ୩୫୦୦ରୁ ୧୦ ହଜାର ରହୁଥିଲା। ଏହା ଇକୋନୋମି ବର୍ଗରେ ଓ୍ବାନ୍‌ଓ୍ବେ ଭଡ଼ା ହୋଇଥିବା ବେଳେ ଏଥିରେ ବିମାନ ବନ୍ଦର ଉନ୍ନତୀକରଣ, ଯାତ୍ରୀ ନିରାପତ୍ତା ଦେୟ ଏବଂ ଜିଏସ୍‌ଟି ସାମିଲ କରାଯାଇନାହିଁ। ଘରୋଇ ଉଡ଼ାଣ କୋଭିଡ୍‌ ପୂର୍ବ ସ୍ଥିତିକୁ ନ ଫେରିବା ଯାଏ ନୂଆ ଭଡା ନିୟମ ଉଠିବ ନାହିଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କୋଭିଡ୍‌ ଯୋଗୁ ବିମାନ ସେବା ଉପରେ କଟକଣା ଲଗାଯିବା ସହ ଭଡ଼ା କ୍ଷେତ୍ରରେ ସରକାର କେତେକ ନିୟମ ଲାଗୁ କରିଛନ୍ତି। ବିମାନ ସେବା ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ।

Share