ଭଣ୍ଡାରିପୋଖରୀ,୬ା୮(ଡି.ଏନ୍.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ ୧୭.୩୫ ମିଟରରୁ ବଢ଼ିବା ଆରମ୍ଭ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୩୬ ରେ ପହଞ୍ଚି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥିର ହୋଇଚାଲିଛି। ନଦୀର ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଆଖୁଆପଦାରେ ୨୪.୮ ମିମି, ଆନନ୍ଦପୁର ୩୦.୨ ମିମି,ସୋମପାଟଣା ୪୯.୪ ମିମି,କେନ୍ଦୁଝର ୧୭.୮ ମିମି ,ଠାକୁରପାଟଣା ୨୯.୦ ମିମି,ଚମ୍ପୁଆ ୬୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୈତରଣୀ ଶୁଖିଲା ଥିବାରୁ ପାଣି କେତେ ଆସିବ ତାହା ଆକଳନ କରାଯାଇ ପାରୁନାହିଁ। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇ ବିପଦ ସଂକେତ ପାଖାପାଖି ଯାଇପାରେ ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା କହିଛନ୍ତି।