ପଞ୍ଚାୟତ ସମିତି ସହ ଜଡିତ ଅଫିସରଙ୍କ ବଢିଲା ଆର୍ଥିକ କ୍ଷମତା

ଭୁବନେଶ୍ୱର,୧୬।୨: ପଞ୍ଚାୟତ ସମିତି ସହ ବୈଷୟିକ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଛି । ରାଜ୍ୟ କ୍ୟାବିନେଟ ଏନେଇ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପଞ୍ଚାୟତ, ପଞ୍ଚାୟତ ସମିତି(ବ୍ଲକ) ଓ ଜିଲା ପରିଷଦସ୍ତରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓ ପଞ୍ଚାୟତ ସମିତି ହିସାବ ପଦ୍ଧତି ନିୟମ-୨୦୦୨ରେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦିିଷ୍ଟ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତା ପ୍ରଦାନ କରାଯାଇଛି । ପୂର୍ତ୍ତ ବିଭାଗ ସଂହିତାରେ କରାଯାଇଥିବା ସଂଶୋଧନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ରୋଜଗାର ଯୋଜନାରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସୁଗମ ତଥା ଠିକ ସମୟରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଆର୍ଥିକ ମଞ୍ଜୁରୀ କ୍ଷମତା ବୃଦ୍ଧି ହୋଇଛି ।

ଏହି ପ୍ରସ୍ତାବ ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ(ପଞ୍ଚାୟତିରାଜ)ଙ୍କୁ ଯଥାକ୍ରମେ ୧କୋଟି ଓ ୪କୋଟି ଟଙ୍କାର ବୈଷୟିକ ମଞ୍ଜୁରୀ କ୍ଷମତା ଏବଂ ୪କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କ୍ଷମତା ମୁଖ୍ୟଯନ୍ତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି ।
ଏହାବ୍ୟତୀତ ପଞ୍ଚାୟତିିରାଜ ବିଭାଗ ଦ୍ୱାରା କରାଯାଉଥିବା ପ୍ରକଳ୍ପକୁ ଜିଲ୍ଲାପାଳମାନଙ୍କର ପ୍ରଶାସନିକ ଅନୁମୋଦନ କ୍ଷମତା ୫୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପଞ୍ଚାୟତିିରାଜ ବିଭାଗ ତରଫରୁ ହେଉଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Share